Site icon ଆଜିକାଲି

ଗଣେଶ ପୂଜା ନିମନ୍ତେ ଜିଲାପ୍ରଶାସନର ପ୍ରସ୍ତୁତି ବୈଠକ


ବାଲେଶ୍ୱର : ଆସନ୍ତା ଗଣେଶ ପୂଜା ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ସହକାରୀ ଜିଲାପାଳ ସ୍ୱାଗତିକା ଦାସଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୋଲିସ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲାରେ କିଭଳି ସୁରୁଖୁରୁରେ ଗଣେଶ ପୂଜା ଆୟୋଜିତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତବର୍ଷ ମଣ୍ଡପରେ ପୂଜା ନିମନ୍ତେ ଆବଶ୍ୟକ ଅନୁମତି ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ପ୍ରଦାନ କରାଯିବ । ବାଲେଶ୍ୱର ସହରରେ ପୂଜା ଅନୁମତି ପାଇଁ ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା ୨୫ ତାରିଖରୁ ୨୭ତାରିଖ ମଧ୍ୟରେ ପୂଜା କମିଟିମାନ ଆବେଦନ କରିପାରିବେ ।
ନିଷ୍ପତ୍ତି ଅନୁଯାୟୀ ଚିଡ଼ିଆ ପୋଲରୁ ମେଡ଼ିକାଲ ପର୍ଯ୍ୟନ୍ତ ଥିବା ସାଇଲେନ୍ସ ଜୋନ୍‌ରେ ସାଉଣ୍ଡ ଓ ମ୍ୟୁଜିକ୍ ବ୍ୟବହାର ହୋଇପାରିବ ନାହିଁ । ଏତଦ୍‌ବ୍ୟତୀତ ଛୋଟ ପିଲା ରହୁଥିବା ହଷ୍ଟେଲ ତଥା ବେସରକାରୀ ଡାକ୍ତରଖାନା/ନର୍ସିର୍ଂହୋମ ସମ୍ମୁଖରେ ଥିବା ପୂଜାମଣ୍ଡପରେ ମଧ୍ୟ ଅନୁରୂପ ବାରଣ କରାଯାଇଛି । ପୂଜାମଣ୍ଡପମାନଙ୍କ ଦ୍ୱାରା ଗଠିତ ସମନ୍ୱୟ କମିଟି ପ୍ରଶାସନକୁ ଆଇନ୍ ଶୃଙ୍ଖଳା ତଥା ସମସ୍ତ ନିୟମାବଳୀ ପାଳନର ପ୍ରତିଶ୍ରୁତି ଦେଇଥିଲା । ଜିଲାପ୍ରଶାସନ ତରଫରୁ ପଞ୍ଜିକରଣ ନିମନ୍ତେ ଆବଶ୍ୟକ ନଥିପତ୍ରର ଚିଠା ଟ୍ୱିଟ୍ ଯୋଗେ ଜଣାଇ ଦିଆଯିବ । ପୂଜା ମଣ୍ଡପର ସର୍ବୋଚ୍ଚ ଉଚ୍ଚତା ୨୦ଫୁଟ୍ ତଳେ ତଥା ମୂର୍ତ୍ତିର ଉଚ୍ଚତା ସର୍ବୋଚ୍ଚ ୨ଫୁଟ୍ ରଖାଯିବ । ସରୁଆ ରାସ୍ତା ତଥା ଛକମାନଙ୍କ ନିକଟରେ ଥିବା ମଣ୍ଡପଗୁଡ଼ିକ ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ରାସ୍ତାରେ ଦାଗ ଦିଆଯିବ । ଯାହାକୁ ମଣ୍ଡପମାନେ ଟପିବେ ନାହିଁ । ବିଦ୍ୟୁତ୍ ସଂଯୋଗ ନିମନ୍ତେ ଆବଶ୍ୟକ ଅର୍ଥ ଦାଖଲର ପରିମାଣ ବାବଦରେ ଜିଲାପ୍ରଶାସନ ଟାଟା ପାୱାର ଅଧିକାରୀଙ୍କ ସହ ଆଲୋଚନା କରି ଯଥାସମ୍ଭବ ଜଣାଇବାକୁ ଚେଷ୍ଟା କରିବେ । ଭସାଣୀ ପୂଜାର ୩ୟ, ୫ମ ଓ ୭ମ ଦିବସରେ କରାଯିବ ଯାହାର ସର୍ବୋଚ୍ଚ ସମୟ ରାତି ୧୦ଟା ରହିବ । ଆରମ୍ଭ କରିବାର ସମୟ ପୂଜା କମିଟିମାନେ ଲିଖିତ ଆକାରରେ ଆବେଦନ ପତ୍ରରେ ଉଲ୍ଲେଖ କରିବେ । ପ୍ରୋସେସନ୍‌ରେ ଡିଜେର ବ୍ୟବହାର ନିଷେଧ କରାଯିବା ସଙ୍ଗେ ସଙ୍ଗେ ସର୍ବୋଚ୍ଚ ୨ହଜାର ୱାଟ୍‌ର ସାଉଣ୍ଡ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ବାଲିଘାଟ ଓ ନୂଣିଆଯୋଡ଼ି ଆଦି ୨ଟି ସ୍ଥାନରେ ବିସର୍ଜନ ନିମନ୍ତେ ବ୍ୟବସ୍ଥା କରାଯିବ । ଆଇନ୍‌ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ଜାରି ମାର୍ଗଦର୍ଶିକା ପାଳନ କରିବାକୁ ହେବ । କୌଣସି ନିଷିଦ୍ଧ ପ୍ରକାରର ବାଣର ବ୍ୟବହାର ହେବ ନାହିଁ । ସମସ୍ତ ନୀତି ନିୟମ ମଧ୍ୟରେ ରହି ଗଣେଶ ପୂଜା ପାଳନ ନିମନ୍ତେ ଉପସ୍ଥିତ ପୂଜା କମିଟି ସଦସ୍ୟମାନଙ୍କୁ ଜିଲାପାଳ ଶ୍ରୀ ଶିନ୍ଦେ ପରାମର୍ଶ ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Exit mobile version