Site icon ଆଜିକାଲି

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ

ଭୁବନେଶ୍ୱର – ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପ୍ରାରମ୍ଭରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପୁରସ୍କୃତ ସମସ୍ତ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ମୁଖ୍ୟମନ୍ତ୍ରୀ କଳାର ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି , ଯାହାଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ଶିଳ୍ପୀମାନେ ଉତ୍କର୍ଷ ହାସଲ କରିପାରିଛନ୍ତି । ପୂର୍ବରୁ ୮ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷଠାରୁ ୧୨ଟି ବିଭାଗରେ ପୁରସ୍କାର ପ୍ରଦାନ ନିମନ୍ତେ ସରକାର ଘୋଷଣା କରିଥିଲେ ବୋଲି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଥିଲେ ମନ୍ତ୍ରୀ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଲେ ଯେ ଶିଳ୍ପୀଙ୍କଠାରେ କୌଣସି ଭେଦଭାବ ନଥାଏ । ବାସ୍ତବତାକୁ ନିଖୁଣ ରୂପ ଦେବାରେ ଜଣେ ଶିଳ୍ପୀ ସର୍ବଦା ଗୁରୁତ୍ଵ ଦେଇଥାଏ ବୋଲି ବିଭାଗୀୟ ସଚିବ କହିଥିଲେ । ଗୋଟିଏ ଜାତିର ଅଗ୍ରଗତି ନିମନ୍ତେ ତା’ର ଐତିହ୍ୟ , ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଉଲ୍ଲେଖ କରିଥିଲେ ବିଭାଗୀୟ ସଚିବ ।

ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ କହିଲେ ଯେ ଶିଳ୍ପୀମାନଙ୍କର ବାସ୍ତବଧର୍ମୀ କାରୁକାର୍ଯ୍ୟ ସର୍ବଦା ଉତ୍ସାହପ୍ରଦ ରହିଛି । ସେମାନଙ୍କର ଉନ୍ନତି ନିମନ୍ତେ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ କମିଟିରେ ରାଜ୍ୟ ବାହାରର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ନେଇ ପୁରସ୍କୃତ ହୋଇଥବା ଶିଳ୍ପୀମାନଙ୍କୁ ଚୟନ କରାଯାଇଛି । ପୁରସ୍କୃତ ହୋଇନଥିବା ଶିଳ୍ପୀ ମାନେ ନିରନ୍ତର ପ୍ରୟାସ ଜାରି ରଖୁବାକୁ ସେ ପରାମର୍ଶ ଦେଇଥିଲେ । ଏକ ଉଚ୍ଚସ୍ତରୀୟ ଚୟନ କମିଟି ଦ୍ଵାରା ଚୟନ ହୋଇଥିବା ୧୨ ଜଣ ଶିଳ୍ପୀଙ୍କ ଶ୍ରେଷ୍ଠ କଳାକୃତି ପାଇଁ ଚଳିତ ବର୍ଷ ସେମାନଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଚଳିତ ବର୍ଷ ଚାରୁକଳା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଚିତ୍ରଶିଳ୍ପୀ ସୋଫିୟା ସ୍ଥିନ୍ , ଦିନେଶ ମୁଦୁଲି , ବିକ୍ରମ କେଶରୀ , ନରେନ୍ଦ୍ର କୁମାର ମାଝୀ ଓ ନରେଶ ସୁନା , ଭାସ୍କର୍ଯ୍ୟରେ ଭିକାରୀ ପ୍ରଧାନ , କାନ୍ତ କିଶୋର ମହାରଣା ଓ ହିମାଂଶୁ ମହନ୍ତ , ମୁଦ୍ରଣ କଳାରେ ଅମୀୟ ରଞ୍ଜନ ଓଝା ଓ ଅଙ୍କିତା ସାହୁ ଏବଂ ପାରମ୍ପରିକ କଳାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ପୁଷ୍ପାଞ୍ଜଳି ରାଓ ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର – ୨୦୨୩ରେ ପୁରସ୍କୃତ କରାଯାଇଥିଲା । ପୁରସ୍କୃତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଉପଢୌକନ , ଟ୍ରଫି ଓ ମାନପତ୍ର ପ୍ରଦାନ କରି ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କୁ ପରିଚୟ ପ୍ରଦାନପୂର୍ବକ ସ୍ଵାଗତ କରିଥିଲେ । ସ୍ଵତନ୍ତ୍ର ଶାସନ ସଚିବ ତଥା ଏକାଡେମୀର ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ମଧୁସୂଦନ ଦାଶ ଧନ୍ୟବାଦ ଅର୍ପଣ କରିଥିବାବେଳେ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version