Site icon ଆଜିକାଲି

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଗସ୍ତକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ଦିନ ୧୧ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର୍‌ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ସୁନୀଲ ବଂଶଲ ପ୍ରମୁଖ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ଉତ୍କଳ ମଣ୍ଡପ ଯାଇ ଜ୍ଞାନପ୍ରଭା ମିସନ୍‌ର ପ୍ରତିଷ୍ଠା ଦିବସରେ ଯୋଗଦେବେ। ପରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪୦ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି। ୧୪ଜଣ ଆଡିସିନାଲ୍‌ ଡିସିପି, ୩୫ଜଣ ଏସିପି, ୪୭ଜଣ ଇନ୍‌ସ୍ପେକ୍ଟର, ୧୮୮ଜଣ ସବ୍‌-ଇନ୍ସପେକ୍ଟର୍‌ ଏବଂ ୬୦ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ ।
ଆସନ୍ତାକାଲି ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର‌ ପରିଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ସେ କଟକ ଯାଇ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦ୍‌ଘାଟନ କରିବେ।

Exit mobile version