Site icon ଆଜିକାଲି

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଦେଢ଼ ଘଣ୍ଟା ପୂର୍ବରୁ ସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ

ପୁରୀ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାବଳୀକୁ ଶୁକ୍ରବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି ।

ବୈଠକରେ ନିଷ୍ପତ୍ତି ଅନୁସାରେ, ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ପହଞ୍ଚିବାର ଦେଢ଼ ଘଣ୍ଟା ପୂର୍ବରୁ ସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ କରାଯିବ । ସେଦିନର ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ୨୩ ତାରିଖରେ ରାତ୍ର ୧୧ଟାରେ ପହୁଡ଼ ନୀତି ସମାପନ ପାଇଁ ସ୍ଥିର ହୋଇଛି । ୨୪ ତାରିଖ ଭୋର୍‌ ୩ଟାରୁ ଦ୍ୱାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଦିନ ୧୧ଟାରେ ଶ୍ରୀମନ୍ଦିର ଶୋଧ କରାଯିବ । ଦିନ ୧୧ଟାଠାରୁ ଆଉ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ । ରାଷ୍ଟ୍ରପତି ଶ୍ରୀଜିଉଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ଅବଶିଷ୍ଟ ଦୈନଦିନ ନୀତିମାନ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଦିନ ୧୧ଟା ୪୫ ସୁଦ୍ଧା ବାଳଧୂପ ଶେଷ ହେବ ଓ ଭୋଗମଣ୍ଡପ ଉଠିବା ସହ ବେଶ ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇଛି । ରାଷ୍ଟ୍ରପତି ଦିନ ୧୨ଟା ୩୦ରୁ ଦିନ ୧ଟା ୧୫ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ଗର୍ଭଗୃହରେ ଠାକୁର ଦର୍ଶନ ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭଗୃହରେ ରହିବେ ନାହିଁ । ସେବକମାନେ ଧାର୍ଯ୍ୟ ନୀତିକାନ୍ତି ଅନୁସାରେ ନୀତି ସମାପନ କରିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟଠାରୁ ଦୂରତା ରକ୍ଷା କରି ରହିବେ । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବିସ୍ତୃତ ବ୍ୟବସ୍ଥାବଳୀକୁ ଛତିଶାନିଯୋଗ ଅନୁମାଦନ କରିଥିବା ବେଳେ ଏହାକୁ ଠିକଣା ଭାବେ ଅନୁପାଳନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ।

Exit mobile version