Site icon ଆଜିକାଲି

ଆସନ୍ତା ୨୫ରୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ, ବିଦ୍ୟୁତ୍‌ ସରବରାହକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୫ ତାରିଖରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ମେ ମାସରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିଥିଲେ । ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେବାବେଳେ ଲାଇନ୍‌ କଟିଥିଲା । ତେଣୁ ଏଥର ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବିଛିନ୍ନ ବିଦ୍ୟୁତ୍‌ ସରବରାହକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଶକ୍ତି ବିଭାଗ, ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌କୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଯାଞ୍ଚ ପାଇଁ ଅଭିଜ୍ଞ ଯନ୍ତ୍ରୀମାନେ ଉପସ୍ଥିତ ରହିବେ । ଯଥେଷ୍ଟ ସଂଖ୍ୟକ ଜେନେରେଟର ମହଜୁଦ୍‌ ରଖିବା ସହ ସେସବୁର କାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନକୁ ଯିବେ । ସେଠାରେ ରାଜ୍ୟର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବେ ରାଷ୍ଟ୍ରପତି ।

ସେହିପରି ୨୬ରେ କଟକ ଚଣ୍ଡିି ମନ୍ଦିର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବାସଭବନ ଏବଂ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ ପରିଦର୍ଶନ କରିବେ । କଟକ ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍‌ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବେ ।

୨୭ରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍‌ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଦିନ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତ୍ରୀ ଉତ୍ସବରେ ମଧ୍ୟ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ୩ ଦିନିଆ ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Exit mobile version