ନବରଂଗପୁର, ପନିପରିବା ଦରବୃଦ୍ଧି ଏକ ସାମୟିକ ସମସ୍ୟା। ଉତ୍ପାଦନ ଓ ଯୋଗାଣ ଯୋଗୁଁ ଏଭଳି ଘଟିଥାଏ। ତଥାପି ଦରବୃଦ୍ଧି କିପରି ଖାଉଟିଙ୍କୁ ବାଧିବ ନାହିଁ,ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା ସୃଷ୍ଟି କରିବା ସରକାରଙ୍କ ଦାୟିତ୍ବ। ଚାଷକୁ ମୌସୁମୀର ଏକ ଜୁଆ ଖେଳ ବୋଲି କୁହାଯାଏ। ଏଥିରେ ସାଧାରଣ ଖାଉଟି ଠାରୁ ଆରମ୍ଭ କରି ଚାଷୀ ମଧ୍ୟ ପ୍ରଭାବିତ ହୋଇଥାଏ। କେବଳ ନବରଂଗପୁର ଜିଲ୍ଲା କାହିଁକି ବର୍ତ୍ତମାନ ସାରା ଦେଶରେ ଟୋମାଟ ସହ ପନିପରିବା ଦରବୃଦ୍ଧି ଘଟିଛି। ହଠାତ୍ ଖାଉଟିକୁ ଏହା ପ୍ରଭାବିତ କରିଛି ଓ ଅସମୟରେ ପରିବାର ପାଇଁ ବୋଝ ସୃଷ୍ଟି ହୋଇଥିବା ଅନୁମାନ କରାଯାଇଛି। ଟୋମାଟର ଦର କିଛିଦିନ ପାଇଁ ଆକାଶଛୁଆଁ ହୋଇଯାଇଥିଲା। ଅନ୍ୟ ପନିପରିବା ମଧ୍ୟରେ ଆଳୁ,ପିଆଜ,ପୋଟଳ,ଭେଣ୍ଡି,ଗାଜର,ଅଦା,କଞ୍ଚାଲଙ୍କା,ପେପସିକମ ଆଦିର ମଧ୍ୟ ମହଙ୍ଗା ହୋଇଛି। ବର୍ଷା ଠିକ ସମୟରେ ନ ହେବା ଓ ପରିବହନ ସମୟସୀମା ଭିତରେ ନ ହେଲେ ଦରବୃଦ୍ଧି ହେଉଛି। ପନିପରିବା ଯୋଗାଣ ଓ ଚାହିଦାକୁ ପୂରଣ କରିବା ଅସନ୍ତୁଳନ ହେବା ଫଳରେ ଦରଦାମ ବଢୁଛି। ତେବେ ଏଥିପାଇଁ ଅନ୍ୟାନ୍ୟ କାରଣ ମଧ୍ୟ ରହି ପାରେ। ନବରଂଗପୁର ଜିଲ୍ଲା ଏକ କୃଷିର ପ୍ରାଧାନ୍ୟ ରହିଛି। ଜଳ ସେଚନର ସୁବ୍ୟବସ୍ଥା ଥିବା ସ୍ଥାନରେ ପନିପରିବା ଚାଷ କରାଯାଉଛି। କିନ୍ତୁ,ଚାଷ ଓ ଚାଷୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରେଇବା ଆବଶ୍ୟକ। ପନିପରିବା ମହଜୁଦ ରଖିବା ତଥା କୃଷି ସାମଗ୍ରୀର ସଂରକ୍ଷଣ କରିବା,ପରିବହନ ପାଇଁ ବ୍ୟାପକ ଭିତ୍ତିଭୂମିର ଆବଶ୍ୟକତା ରହିଛି। ପନିପରିବା ତଥା ଅନ୍ୟାନ୍ୟ ଜିନିଷ ପାଇଁ ସବୁବେଳେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଆମ ରାଜ୍ୟରେ ଏଥିପାଇଁ କୌଣସି ଯୋଜନା କିମ୍ବା ମିଶନ ହେଉ ନାହିଁ। କିଛିବର୍ଷ ପୂର୍ବେ ଏହି ଅବସ୍ଥାକୁ ଦେଖି ଆଳୁ ମିଶନ ବାହାର କରିଥିଲେ। ଯାହା ଚାଷୀ ଓ ଖାଉଟିଙ୍କପାଇଁ ଉଚିତ୍ ଥିଲା। ହେଲେ ଆଳୁ ମିଶନ ଫେଲ ହେଲା। ଗତ ୧୫ ଦିନ ମଧ୍ୟରେ ଟୋମାଟର ଦାମ ୧୦୦ ଟଙ୍କାକୁ ଟପିଯିବା ସାଧାରଣରେ ଘରେ ଘରେ ଚର୍ଚ୍ଚା ଚାଲିଛି। ବଜାରରେ ଯିଏ କିଲେ ନେଉଥିଲା,ସିଏ ଏବେ ୨୫୦ ଗ୍ରାମ ନେଇ ଚଳଉଚି। ନଚେତ୍ ଟୋମାଟରୁ ମୁହଁ ଫେରାଉଛି। ସରକାରଙ୍କ ଦ୍ବାରା ୨ ଟଙ୍କିଆ ଚାଉଳକୁ ୧୨୦ ଟଙ୍କା ଟୋମାଟ କିଲୋ ଚିନ୍ତା ଲାଗିଛି। ପ୍ରଥମେ ଲେମ୍ବୁ ଦର ବୃଦ୍ଧି ପରେ ଅଦା,ଲଙ୍କା,ଟୋମାଟର ଦରବୃଦ୍ଧି ହୋଇ ପନିପରିବାର ଦାମ ଆକାଶଛୁଆଁ ହୋଇଯାଇଛି। ଏଠି ଶୀତକାଳୀନ ଋତୁରେ କେବଳ ସବୁ ପନିପରିବା ସର୍ବାଧିକ ଉତ୍ପାଦନ ହୋଇଥାଏ ଏବଂ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥାନ୍ତି। ସେହି ସମୟରେ ତୋଳା ମଜୁରୀ ମଧ୍ୟ ପାଇ ନ ଥାନ୍ତି। ତେଣୁ ପୋଚ ସୋଢି ଯାଉଥିବା ପନିପରିବାକୁ ରାସ୍ତାକଡରେ ପକେଇବାକୁ ବାଧ୍ୟ ହୁଅନ୍ତି। ଜିଲ୍ଲାରେ ଶୀତଳଭଣ୍ଡାରର ଆବଶ୍ୟକତା ଓ ଅଭାବ ଚାଷୀଙ୍କୁ କୌଣସିମତେ କାମରେ ଲାଗୁ ନାହିଁ। ପ୍ରକୃତରେ ଚାଷୀଙ୍କ ଅଭାବୀ ବିକ୍ରି ଫଳରେ ବ୍ୟବସାୟୀ ମାନେ ସେମନଙ୍କ କିଣା ଦର ଠାରୁ ବହୁଗୁଣରେ ବଜାରରେ ବିକ୍ରି କରୁଛନ୍ତି। ବର୍ଷାଦିନରେ ପିଆଜ ଅଧିକ ଦରରେ ବିକ୍ରି ହୋଇଥାଏ। ହେଲେ ଟମାଟୋର ଅଭାବନୀୟ ବିକ୍ରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ତେବେ ଚାଷୀଙ୍କ ପାଇଁ ଯେତିକି ସମସ୍ୟା ରହିଛି,ଖାଉଟିଙ୍କ ପକେଟକୁ ମଧ୍ୟ ସେହିପରି ସମସ୍ୟା ରହିଛି। ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ ଯୋଜନା ଭିତରୁ ମିଶନ ଶୀତଳଭଣ୍ଡାର ଭଳି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକତା ରହିଛି। ଫଳରେ ଆଗାମୀ ଦିନରେ ଖାଉଟିଙ୍କୁ ଦରବୃଦ୍ଧି ଜନିତ ସମସ୍ୟାରୁ ମୁକୁଳାଇବା ପାଇଁ ସରକାର ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି।