Site icon ଆଜିକାଲି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘କାପୁରୁଷ’ କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରତିବାଦରେ କଂଗ୍ରେସ ଆଜି ସାରା ଦେଶରେ ‘ସଂକଳ୍ପ ସତ୍ୟାଗ୍ରହ’ କରିଛି।

ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ସମାଧୀ ସ୍ଥଳ ରାଜଘାଟଠାରେ କଂଗ୍ରେସର ‘ସଂକଳ୍ପ ସତ୍ୟାଗ୍ରହ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ଜଣେ କାପୁରୁଷ କହି ପ୍ରିୟଙ୍କା ତାଙ୍କୁ ମଧ୍ୟ ଜେଲକୁ ପଠାଅ ବୋଲି ଚ୍ୟାଲେଞ୍ଜ କରିଛନ୍ତି ।

ପ୍ରିୟଙ୍କା କହିଛନ୍ତି, “ଏହି ଦେଶର ପ୍ରଧାନମନ୍ତ୍ରୀ ଜଣେ କାପୁରୁଷ । ଏବେ ମୋ’ ବିରୋଧରେ ମଧ୍ୟ କେସ୍ କର, ମତେ ବି ଜେଲ୍ ପଠେଇଦିଅ..।”

ପ୍ରିୟଙ୍କା କହିଛନ୍ତି ଯେ, ମୋ ପରିବାର ରକ୍ତ ଦେଇ ଏହି ଦେଶର ଗଣତନ୍ତ୍ରକୁ ଗଢ଼ିଛି । କଂଗ୍ରେସର ମହାପୁରୁଷମାନେ ଏହି ଦେଶର ମୂଳଦୁଆ ପକାଇଛନ୍ତି।

ବାପା ରାଜୀବ ଗାନ୍ଧୀଙ୍କ କଥା ମନେ ପକାଇ ପ୍ରିୟଙ୍କା କହିଥିଲେ ଯେ ବାପା ଦେଶ ପାଇଁ ଜୀବନ ଦେଇଥିଲେ । ସେ ଜଣେ ସହିଦ୍ । କିନ୍ତୁ ଆଜି ସେହି ସହିଦ୍ ଓ ତାଙ୍କ ପରିବାରକୁ ସଂସଦରେ ଅପମାନିତ କରାଯାଉଛି। ତାଙ୍କ ପୁଅକୁ ‘ମୀର୍ ଜଆଫର୍’ ବୋଲି କୁହାଯାଉଛି ।

ବିଜେପି ନେତାମାନେ ତାଙ୍କ ପରିବାରକୁ ଲଗାତାର ବଦନାମ କରୁଛନ୍ତି। କିନ୍ତୁ ସେମାନଙ୍କୁ କାହିଁକି ଦଣ୍ଡ ମିଳୁନି? ସେମାନଙ୍କ ବିରୋଧରେ କାହିଁକି ମାନହାନି ମାମଲା ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ନିଜ ଭାଇ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି ପ୍ରିୟଙ୍କା କହିଥିଲେ ସେ ସରକାରଙ୍କୁ କେବଳ ଦୁଇଟି ପ୍ରଶ୍ନ ପଚାରିଲେ ବୋଲି ତାଙ୍କ ସଂସଦ ପଦ ରଦ୍ଦ କରି ଦିଆଗଲା।

ପ୍ରିୟଙ୍କା ଗାନ୍ଧୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାର ଏହି ଦେଶର ଲୋକଙ୍କ ଟଙ୍କା ଓ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ନଷ୍ଟ କରୁଛନ୍ତି। ଆଦାନୀ କିଏ ବୋଲି ପଚାରିଲେ ଏହି ସରକାର କାହିଁକି ରାଗୁଛନ୍ତି ?

ତାଙ୍କ ପରିବାରକୁ ବାରମ୍ବାର ଅପମାନିତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ବିଜେପିର ଜଣେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କ ବାପା କିଏ ଜାଣନ୍ତି ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସଂସଦରେ ଗାନ୍ଧୀ ପରିବାରକୁ ନେହେରୁ ସାଙ୍ଗିଆ କାହିଁକି ବ୍ୟବହାର କରୁନ ବୋଲି କହି ବଦନାମ କରିଥିଲେ ବୋଲି ପ୍ରିୟଙ୍କା ଗାନ୍ଧୀ କହିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, “ଯଦି କେହି ଆମକୁ ସତ କହିବାରୁ ଅଟକାନ୍ତି ତେବେ ଆମେ ଇଟାର ଜବାବ ପଥରରେ ଦେବୁ । ଦେଶ, ଲୋକଙ୍କ ସ୍ୱାଧୀନତା, ସମ୍ବିଧାନ ବଞ୍ଚାଇବା ପାଇଁ ଆମେ ଯାହା ସମ୍ଭବ ତାହା କରିବା ଜାରି ରଖିବୁ।”

Exit mobile version