Site icon ଆଜିକାଲି

ବେଲପାହାଡରେ ରେଳ ୟୁଜର୍ସ କମିଟିର ପ୍ରତିବାଦ ସଭା

ଝାରସୁଗୁଡ଼ା: ବିଭିନ୍ନ ଟ୍ରେନର ରହଣୀ ଦାବିରେ ବେଲପାହାଡ ରେଳ ୟୁଜର୍ସ କମିଟି ଆଜି ରେଳ ରୋକୋ ପାଇଁ ସପ୍ତାହେ ତଳୁ ଘୋଷଣା କରିଥିଲା। ହେଲେ ଗତକାଲି ରାତିରେ ବିଲାସପୁର ଡିଭିଜନ ପକ୍ଷରୁ ବେଲପାହାଡ ରେ ୪ଟି ଏବଂ ବ୍ରଜରାଜନଗରରେ ୬ଟି ଟ୍ରେନର ପରୀକ୍ଷାମୂଳକ ରହଣୀ ନେଇ ନୋଟିସ ଜାରି କରିବା ପରେ ରେଳରୋକୋ କାର୍ଯ୍ୟକ୍ରମ ବାତିଲ ହୋଇଛି। ହେଲେ କରୋନା ପୂର୍ବରୁ ରହଣୀ ଥିବା ସବୁ ଟ୍ରେନର ରହଣୀ ଦାବିରେ ରେଳ ଷ୍ଟେସନ ପରିସରରେ ପ୍ରତିବାଦ ସଭା ଚାଲିଛି।

ସୂଚନାଯୋଗ୍ଯ ଯେ, କରୋନା ପୂର୍ବରୁ ହାୱଡା- ମୁମ୍ବାଇ ରେଳପଥର ବେଲପାହାଡ ଠାରେ ୧୨ରୁ ଅଧିକ ଟ୍ରେନ ରହଣୀ କରୁଥିଲା। ହେଲେ ତାହା ଲକଡାଉନ ପରଠାରୁ ବନ୍ଦ ହୋଇଯାଇଛି। ଫଳରେ ଯାତ୍ରୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ରେଳ ୟୁଜର୍ସ କମିଟି ରେଳବାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏନେଇ ବିଲାସପୁର ଡିଭିଜନ ଡିଆରଏମ ୪ ଦିନ ପୂର୍ବରୁ ଆଲୋଚନାକୁ ଡାକିଥିଲେ ହେଁ କୌଣସି ପ୍ରତିଶ୍ରୁତି ଦେଇନଥିଲେ। ଫଳରେ ପୂର୍ବ ଘୋଷଣା ମୁତାବକ ଆଜି ରେଳରୋକୋ ପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଥିଲା। ହେଲେ ଗତକାଲି ରାତିରେ ବେଲପାହାଡ ରେ ୪ଟି ଏବଂ ବ୍ରଜରାଜନଗରରେ ୬ଟି ଟ୍ରେନର ରହଣୀ ନେଇ ରେଳବାଇ ବିଜ୍ଞପ୍ତି ପ୍ରକାଶ କରିଛି। ଫଳରେ ଆନ୍ଦୋଳନକାରୀ ଟ୍ରେନ ନ ଅଟକାଇ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା କରୁଛନ୍ତି। ପୂର୍ବବତ ସବୁ ଟ୍ରେନର ରହଣୀ ଦାବି କରାଯାଇଛି। ପରିସ୍ଥିତିକୁ ଦେଖି ପ୍ରଶାସନ ୧୪୪ ଧାରା ଜାରି କରିଛି।

Exit mobile version