Site icon ଆଜିକାଲି

ସ୍କୁଲ ପିଲାଙ୍କ ଗ୍ରୀଷ୍ମ ଅବକାଶକାଳୀନ ପାଠପଢ଼ା ପାଇଁ ସମସ୍ତ ଜିଲାରେ ଟୋଲ୍‌ ଫ୍ରି ନମ୍ବର ବ୍ୟବସ୍ଥା

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖୂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ “ଅବକାଶକାଳୀନ ଗୃହକାର୍ଯ୍ୟ” ମେ ୧ ତାରିଖରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲ୍ଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ୟନ ପ୍ରଣାଳୀ ଏବଂ ନିୟମାବଳୀ ପ୍ରେରଣ କରାଯାଇ ଏହାକୁ ବିଧବଦ୍ଧ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର ଖୋଲାଯାଇ ପ୍ରତିଦିନ ୪ ଜଣ ବିଷୟ ଭିଭିକ ଓ ଅଭିଜ୍ଞ ଶିକ୍ଷକକୁ ନିୟୋଜିତ କରାଯାଇଅଛି । ଏହି କାର୍ଯ୍ୟକ୍ରମ ମେ ୧ ତାରିଖରୁ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଦିବସରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ।

ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଖରେ ସହାୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଦେୟମୁକ୍ତ ନମ୍ବରର ବ୍ଯବସ୍ଥା କରାଯାଇଅଛି । ଏହି ଦେୟମୁକ୍ତ ନମ୍ବରକୁ ଶିକ୍ଷାର୍ଥୀମାନେ ସେମାନଙ୍କର ଅବକାଶକାଳୀନ ଗୃହକାର୍ଯ୍ୟ ସମ୍ବନ୍ଧିତ ପ୍ରଶ୍ନ ସିଧାସଳଖ ପଚାରିପାରିବେ ଏବଂ ସହାୟତା କେନ୍ଦ୍ରରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାର୍ଥୀମାନଙ୍କର ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ କରିବେ । ଏତଦ୍‌ବ୍ୟତୀତ ବିଦ୍ୟାଳୟ ସ୍ତରରେ ଗୃହକାର୍ଯ୍ୟ ସମ୍ବନ୍ଧୀୟ ତଦାରଖ ବ୍ୟବସ୍ଥା କରାଯାଇଛି । ଟୋଲ୍‌ ଫ୍ରି ନମ୍ବର ବ୍ଯତୀତ ଅନ୍ଯ ଏକ ନମ୍ବରରୁ ପ୍ରତ୍ଯେକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କର ସହ ସହାୟତା କେନ୍ଦ୍ରରୁ ଯୋଗାଯୋଗ କରାଯାଇ ଏ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ରହିଛି । ଉଭୟ ଟୋଲ୍‌ ଫ୍ରି ନମ୍ବରରେ ତଥା ବିଦ୍ୟାଳୟ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସ୍ଵତନ୍ତ୍ର ରେଜିଷ୍ଟରରେ ଲିପିବଦ୍ଧ କରାଯାଉଛି । ପ୍ରତିଦିନ ରାଜ୍ୟସ୍ତରରେ “ ବିଦ୍ୟା ସମୀକ୍ଷା କେନ୍ଦ୍ରରୁ” ଏହାର ତଦାରଖ ତଥା ସମୀକ୍ଷା କରିବାର ବ୍ୟବସ୍ଥା କରାଯାଉଛି ।

Exit mobile version