Site icon ଆଜିକାଲି

ଆନନ୍ଦ ମୋହନଙ୍କୁ ଖଲାସ କରିବା ନିଷ୍ପତ୍ତି ବିରୋଧରେ ପାଟନା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପାଟନା: ଆଇଏଏସ୍ ଅଧିକାରୀ ଜି କୃଷ୍ଣୈୟା ହତ୍ୟା ମାମଲାର ଦୋଷୀ ବିହାରର ବାହୁବଳୀ ନେତା ତଥା ପୂର୍ବତନ ସାଂସଦ ଆନନ୍ଦ ମୋହନ ସିଂହଙ୍କୁ ଜେଲରୁ ଖଲାସ କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାଟନା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ବିହାରର ନୀତିଶ କୁମାର ସରକାର ଜେଲ୍ ମାନୁଆଲରେ ସଂଶୋଧନ କରିବା ପରେ ଆନନ୍ଦ ମୋହନଙ୍କ ସହ ବିଭିନ୍ନ ଜେଲରେ ବନ୍ଦୀ ଥିବା ୨୭ କଏଦୀ ଜେଲରୁ ଖଲାସ ହୋଇଛନ୍ତି । ଆନନ୍ଦ ମୋହନ ଆଜି ଭୋରରେ ସହରସା ଜେଲରୁ ମୁକୁଳିଥିଲେ ।

ଅମର ଜ୍ୟୋତି ନାମକ ଜଣେ ସାମାଜିକ କର୍ମୀ ପାଟନା ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ରାଜ୍ୟ ସରକାର ଜେଲ୍ ମାନୁଆଲରେ କରିଥିବା ପରିବର୍ତ୍ତନକୁ ରଦ୍ଦ କରିବାକୁ ସେ ଦାବି କରିଛନ୍ତି। ଏହି ପରିବର୍ତ୍ତନକୁ ବେଆଇନ ବୋଲି ଆବେଦନକାରୀ କହିଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏପ୍ରିଲ ୧୦ରେ ଜେଲ୍ ମାନୁଆଲରେ ସଂଶୋଧନ ସମୟରେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ହତ୍ୟା ସହ ଜଡିତ ଅଂଶକୁ ଯେଭଳି ବାଦ୍ ଦିଆଯାଇଛି ତାହା ବେଆଇନ । ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ କର୍ମଚାରୀଙ୍କ ମନୋବଳ ହ୍ରାସ କରିବ ବୋଲି ଆବେଦନକାରୀ କହିଛନ୍ତି ।

ଆନନ୍ଦ ମୋହନଙ୍କୁ ମୁକ୍ତ କରିବା ନେଇ ବିବାଦ ସୃଷ୍ଟି ହୋଇଛି । ନୀତୀଶ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀଙ୍କ ସହ ଆଇଏଏସ୍ ସଂଘ ଓ ଜି କୃଷ୍ଣୈୟାଙ୍କ ପରିବାର ନିନ୍ଦା କରିଛନ୍ତି ।

ଡିସେମ୍ବର ୪, ୧୯୯୪ରେ ଉତ୍ତର ବିହାରର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟନ ଶୁକ୍ଲାଙ୍କୁ ମୁଜାଫରପୁରରେ ହତ୍ୟା କରାଯାଇଥିଲା। ଶୁକ୍ଲା ଥିଲେ ଆନନ୍ଦ ମୋହନଙ୍କ ଘନିଷ୍ଠ ସହଯୋଗୀ । ଆନନ୍ଦ ମୋହନ ତାଙ୍କୁ କେସରିଆ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲେ। ଛୋଟନ ଶୁକ୍ଲା ହତ୍ୟାକାଣ୍ଡ ନେଇ ମୁଜାଫରପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତା ପରଦିନ ଅର୍ଥାତ ଡିସେମ୍ବର ୫, ୧୯୯୪ରେ ଆନନ୍ଦ ମୋହନ ଓ ତାଙ୍କ ସମର୍ଥକ ଶୁକ୍ଲାଙ୍କ ହତ୍ୟା ପ୍ରତିବାଦରେ ମୁଜାଫରପୁର-ପାଟନା ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ। ସେହି ସମୟରେ ଗୋପାଳଗଞ୍ଜର ତତ୍କାଳୀନ ଡିଏମ୍ ଜି କୃଷ୍ଣୈୟା ଏକ ବୈଠକରେ ଯୋଗଦେଇ ଫେରୁଥିଲେ। ମୁଜାଫରପୁର ସହ ଜି କୃଷ୍ଣୈୟାଙ୍କ କୌଣସି ସମ୍ପର୍କ ନଥିଲା । ହେଲେ ନାଲିବତୀ ଗାଡ଼ି ଦେଖି ପ୍ରାୟ ୫ ହଜାରରୁ ଅଧିକ ବିକ୍ଷୋଭକାରୀ ତାଙ୍କ କାର୍ ଉପରେ ଆକ୍ରମଣ କରିଥିଲେ । ସେ ଗୋପାଳଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟ ବୋଲି କୃଷ୍ଣୈୟା ପରିଚୟ ଦେଇଥିଲେ ମଧ୍ୟ ତାଙ୍କ କଥା ଶୁଣିନଥିଲେ ଉତ୍ତ୍ୟକ୍ତ ଲୋକେ । ତାଙ୍କୁ କାର୍ ଭିତରୁ ଟାଣି ଆଣି ପିଟିପିଟି ହତ୍ୟା କରିଥିଲେ। ଆନନ୍ଦ ମୋହନ ଭିଡ଼କୁ ଉସୁକାଇ ଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ଟ୍ରାଏଲ କୋର୍ଟ ୨୦୦୭ରେ ଆନନ୍ଦ ମୋହନଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ । ତେବେ ୨୦୦୮ରେ କୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ୨୦୧୨ରେ ଆନନ୍ଦ ମୋହନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ୍ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

Exit mobile version