Site icon ଆଜିକାଲି

୧୭ରେ ପୁରୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମ

ପୁରୀ : ପୁରୀ ସମୁଦ୍ର ବେଳାଭୂମିରେ ଆସନ୍ତା ୧୭ ତାରିଖ ସକାଳ ୭ଟା ସମୟରେ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜିଲା ପ୍ରଶାସନ, ଓଏସଏପି ୬ ବାଟାଲିୟନ, ପୁରୀ ପୌରପାଳିକା, ଏନସିସି କ୍ୟାଡେଟ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏହି ସଫେଇ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅତିରିକ୍ତ ଜିଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପାରସ୍ପରିକ ସହଯୋଗ ଓ ସମନ୍ୱୟରେ ଏହି ମହତ କାର୍ଯ୍ୟକୁ ସଫଳ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।

ବିଷଦ ଆଲୋଚନା ପରେ ସ୍ଥିର ହୋଇଥିଲା ଯେ, ୧୭ ତାରିଖ ପୂର୍ବାହ୍ନ ୬ଟା ୩୦ ମିନିଟ ସମୟରେ ସିଂହଦ୍ୱାର ଠାରୁ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ଲାଇଟ ହାଉସ ପର୍ଯ୍ୟନ୍ତ ଆସିବ । ଓଏସଏପି ପକ୍ଷରୁ ଷ୍ଟାଲିନ ପଏଂଟ ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ବେଳାଭୂମି ପରିଷ୍କାର କରି ଓ ପୁରୀ ପୌରପାଳିକା, ଏନସିସି କ୍ୟାଡେଟ, ବିଭିନ୍ନ ବ୍ୟବସାୟୀ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱେଛାସେବୀ, ସାଧାରଣ ବ୍ୟକ୍ତି ବିଶେଷ ଦିଗବାରେଣୀ ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ବେଳାଭୂମିକୁ ପରିଷ୍କାର କରି ଲାଇଟ ହାଉସ ଠାରେ ଏକତ୍ରିତ ହେବେ । ଲାଇଟ ହାଉସ ଠାରେ ସଚେତନତା କାର୍ଯ୍ୟକ୍ରମରେ ଅତିଥି ମାନେ ଉପସ୍ଥିତ ରହି ବେଳାଭୂମି ସଫେଇରେ ଯୋଗ ଦେବେ । ସେଠାରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତା ଦିଆଯିବ ବୋଲି ସ୍ଥିର ହୋଇଛି ।

ଏହି ବୈଠକରେ ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ୬ ବାଟାଲିଆନର କମାଣ୍ଡର ପ୍ରସନ୍ନ ପଣ୍ଡା, ମେଜର ରୋହତାଶ, ସୁବେଦାର ନରେଶ କୁମାର, ଏଡିଏମଓ ଡା. ବ୍ରଜ ଶଙ୍କର ରଥ, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Exit mobile version