Site icon ଆଜିକାଲି

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ : ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ସୋମବାର ପହଞ୍ଚିଛନ୍ତି ତିନିରଥ। ପ୍ରଭୁଙ୍କ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି। ଦାରୁବ୍ରହ୍ମ ରଥ ଉପରେ ବିଜେ କରିଥିବାବେଳେ ଶ୍ରଦ୍ଧାଳୁମାନେ ତଳେ ଛିଡାହୋଇ ଦର୍ଶନ କରୁଛନ୍ତି। ତିନିରଥ ଚତୁଃପାର୍ଶ୍ବରେ କର୍ଡନ କରାଯାଇଛି। ସଶସ୍ତ୍ର ପୁଲିସ ବାହିନୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଭୁଙ୍କୁ ରଥ ଉପରୁ ପହଣ୍ଡି କରି ଆଡପ ମଣ୍ଡପରେ ବିଜେ କରାଯିବ। ବୁଧବାର ଠାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ଆଡପ ଅବଢା ମିଳିବ।

ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ମଦନ ମୋହନ, ରାମକୃଷ୍ଣ, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ। ଆଜି ଅପରାହ୍ନ ଯାଏ ରଥାରୁଢ଼ ବିଶ୍ୱନିୟନ୍ତାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆସନ୍ତାକାଲିଠୁ ମିଳିବ ଆଡ଼ପ ଅବଢ଼ା। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଶ୍ରଦ୍ଧାଳୁମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗର୍ଭଗୃହରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି।

Exit mobile version