Site icon ଆଜିକାଲି

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ଗଡିଲା ସେମି ହାଇସ୍ପିଡ୍ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ପୁରୀ- ରାଉରକେଲା ସମେତ ମୋଟ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଛନ୍ତି। ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପାଇଁ ଆଜି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଡ଼ି ହୋଇଥିଲେ । ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସଦସ୍ୟ ସୁଲତା ଦେଓ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ। ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିଲୋମିଟର ଦୂରତା ଅତିକ୍ରମ କରିବ। ପୁରୀରୁ ସକାଳ ୫ଟାରେ ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ ଟ୍ରେନ । ରାଉରକେଲାରୁ ଦିନ ୨ଟା୧୦ରେ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନରେ ରହିବ।

Exit mobile version