Site icon ଆଜିକାଲି

ଝାରପଡ଼ା ଜେଲରେ ପ୍ରଥମ ଥର ପାଇଁ ଖୋଲିବ ରେଡିଓ ଜକି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲରେ ଥିବା କଏଦୀଙ୍କ ମନୋରଞ୍ଜନ କରାଯିବା ସହ ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଯିବ । ଜେଲରେ ଖୋଲିବ ରେଡିଓ ଜକି । ହାଇଦ୍ରାବାଦ, ବେଙ୍ଗାଲୁରୁ ଜେଲ ପରି ଓଡ଼ିଶାର ଝାରପଡ଼ା ଜେଲରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ । ଜଣେ ପୂର୍ବତନ ଜେଲ ଡିଜି ଏନେଇ ପ୍ରୟାସ ଆରମ୍ଭ କରିଥିବା ବେଳେ ଏବେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି ।
ଝାରପଡ଼ାରେ ରେଡିଓ ଷ୍ଟେସନ ଖୋଲିବା ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି । ଅନୁମତି ମିଳିବା ପରେ ଏବେ ରେଡିଓ ଜକି ଆରମ୍ଭ ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି । ସେ ବାବଦରେ ଏବେ ଏକ୍ସପର୍ଟଙ୍କ ସହିତ ଆଲୋଚନା କରାଯାଇଛି । କେଉଁ ସ୍ଥାନରେ ରେଡିଓ ଜକି ସ୍ଥାପନ ହେବ ସେଥିପାଇଁ ଜାଗା ଚିହ୍ନଟ କରାଯାଉଥିବା ବେଳେ ଖୁବଶୀଘ୍ର ଆବଶ୍ୟକୀୟ ଯନ୍ତ୍ରପାତି କିଣାଯିବ ବୋଲି ଜେଲ ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଅନେକ ନିୟମ କାନୁନ ରହିଥିବାରୁ ଏହା କେନ୍ଦ୍ର ସରକାରଙ୍କ ନିକଟରେ ଅଟକି ରହିଥିଲା । ଏନେଇ ରାଜ୍ୟ ଜେଲ ବିଭାଗ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟକୁ ଚିଠି ଲେଖି ଅନୁମତି ମାଗିଥିଲା । ଜେଲରେ ରେଡିଓ ଜକି ବ୍ୟବସ୍ଥା ଆରମ୍ଭ ହେଲେ ଇଚ୍ଛୁକ କଏଦୀଙ୍କୁ ଏଥିପାଇଁ ନାମ ପଞ୍ଜିକରଣ କରିବାକୁ ପଡ଼ିବ । ସ୍ମାର୍ଟ ଓ ଉତ୍ତମ ସ୍ୱର ଥିବା କଏଦୀଙ୍କୁ ରେଡିଓ ଜକି ଭାବେ ସୁଯୋଗ ଦିଆଯିବ ।
ଜେଲର ପ୍ରତି ୱାର୍ଡରେ ରେଡିଓ ଜକି ଶୁଣିବାକୁ ମିଳିବ । ଏହାଦ୍ୱାରା କଏଦୀଙ୍କ ମାନସିକ ଅବସାଦ ଦୂର ହୋଇ ପାରିବ । କଏଦୀମାନେ ଦୀର୍ଘଦିନ ଧରି ଜେଲରେ ବନ୍ଦ ହୋଇ ରହୁଥିବାରୁ ସେମାନଙ୍କର ମାନସିକ ସ୍ଥିତି ବିଗିଡ଼ି ଯାଇଥାଏ । ତେଣୁ ସେମାନଙ୍କ ମଧ୍ୟରୁ କିଛି ପାଗଳ ହେବା ସହ ଆଉ କିଛି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି । ଏହି ପଦକ୍ଷେପ ଦ୍ୱାରା କଏଦୀଙ୍କ ମାନସିକ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

Exit mobile version