Site icon ଆଜିକାଲି

ପାରଳାଖେମୁଣ୍ଡି ଏବଂ ଗୁଣପୁର ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଗଜପତି : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଗୁରୁବାର ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଷ୍ଟେସନ ପୁନଃନିର୍ମାଣ କାମ ତଦାରଖ କରିଛନ୍ତି । ତାଙ୍କ ସହ ୱାଲ୍ଟିୟର ଡିଭିଜନର ଡିଆରଏମ ସୌରଭ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେ ପାରଳାଖେମୁଣ୍ଡି ଠାରେ ମଧ୍ୟାହ୍ନ ପ୍ରାୟ ୧ଟାରେ ପହଞ୍ଚି ସ୍ଥାନୀୟ ରେଳ ଅଧିକାରୀଙ୍କ ସହ ଏଠାକାର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହ ଭେଟି ଲୋକଙ୍କ ବିଭିନ୍ନ ଦାବି ଶୁଣିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ପାରଳାଖେମୁଣ୍ଡିରେ ଜାରି ରହିଥିବା ଷ୍ଟେସନ ନିର୍ମାଣ କାମ ତୁରନ୍ତ ସାରିବା ସହ ଦ୍ବିତୀୟ ପ୍ଲାଟଫର୍ମ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରପିଥିଲେ ।

ସେହିପରି ରେଳ ଚଳାଚଳରେ ଅହେତୁକ ବିଳମ୍ବ ହେଉଥିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସ୍ବାଭାବିକ ସମୟରେ ରେଳ ଚଳାଚଳ କରାଇବାକୁ ଲୋକେ ଦାବି କରିଥିଲେ । ମହାପ୍ରବନ୍ଧକଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓ ମଧ୍ୟ ତାଙ୍କୁ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଭେଟି ଏଠାକାର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ସମସ୍ତ ଦାବି ଶୁଣିବା ପରେ ମହାପ୍ରବନ୍ଧକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ପାରଳାଖେମୁଣ୍ଡି ଓ ଗୁଣପୁର ରେଳ ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଛି । ଏହାକୁ କିଭଳି ତୁରନ୍ତ ଶେଷ କରାଯିବ ସେଥିପ୍ରତି ପ୍ରାଥମିକତା ଦିଆଯାଉଛି । ଗୁଣପୁର-ନୌପଡା ମଧ୍ୟରେ ରେଳ ଲାଇନ ମରାମତି କାମ ମଧ୍ୟ ଜାରି ରହିଛି । ଏହା ସରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇପାରିବ । ସେହିପରି ନୂଆ ରେଳ ଚଳାଚଳ ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ । ସମସ୍ତ କାମ କରିବା ପରେ ଏନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି ।

Exit mobile version