Site icon ଆଜିକାଲି

୨୪ରୁ ବର୍ଷା, ଭିଜିବ ଦୀପାବଳି

ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ ଓ ୨୦ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେବ। ପରବର୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ସ୍ପଷ୍ଟ ସୂଚନା ଦେଲେଣି। ତେବେ ବାତ୍ୟାର ପ୍ରଭାବ କେତେ ରହିବ ଓ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ସଠିକ୍‌ ଆକଳନ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଦୀପାବଳି ବର୍ଷାରେ ଭିଜିବ ବୋଲି ଏକ ପ୍ରକ‌ା‌ର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ।

ଅଧିକାଂଶ ଆନ୍ତର୍ଜାତିକ ପାଣିପାଗ ମଡେଲ୍‌ ବାତ୍ୟା ସମ୍ଭାବନା ନେଇ ଆକଳନ କରୁଛନ୍ତି । ଯଦିଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଯାଏଁ ବାତ୍ୟା ସମ୍ଭାବନା ନେଇ କୌଣସି ଆକଳନ କରିନାହିଁ । ତଥାପି ବାତ୍ୟା ଆଶଙ୍କା ଥିବା ଅଧିକାଂଶ ମଡେଲ୍‌ ଓ ବହୁ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଏପରିକି ଆନ୍ଧ୍ରରୁ ପଶ୍ଚିମବଙ୍ଗ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍‌) ସମ୍ଭାବନା ଥିବା ଆକଳନ କରାଯାଉଛି । ତେଣୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ଯିବ । ୨୨ ତାରିଖବେଳକୁ ଅଧିକ ଘନୀଭୂତ ହୋଇପାରେ । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି ।

Exit mobile version