Site icon ଆଜିକାଲି

ରାଜ୍ୟରେ ୫ରୁ ବର୍ଷା, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର : ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ୱିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ । ଏହାର ପ୍ରଭାବରେ ୫ ତାରିଖରୁ ବର୍ଷାର ପରିମାଣ ବଢିବ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଥମ ଲଘୁଚାପଟି ଆସନ୍ତା ୮ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ । ଦ୍ୱିତୀୟ ଲଘୁଚାପଟି ସେପ୍େଟମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ତାରିଖରୁ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି । ସେପ୍େଟମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଅଂଚଳରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେଥିପାଇଁ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ସକାଳ ସାଢ଼େ ୮ଟାରୁ ୪ ତାରିଖ (ରବିବାର) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୭ଟି ଜିଲ୍ଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଛି । ଏହା ପ୍ରଭାବରେ ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଗୁଳୁଗୁଳି ଜାରି ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Exit mobile version