Site icon ଆଜିକାଲି

ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡ଼ିଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ କୋରାପୁଟ ଜିଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ମଙ୍ଗଳବାର ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟ ସବୁ ଜିଲାରେ ପାଗ ଶୁଖିଲା ରହିବ। ସେହିପରି ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ରାତି ତାପମାତ୍ରା ସ୍ବାଭାବିକରୁ ୨ ରୁ ୩ ଡିଗ୍ରୀ କମ ରହିପାରେ। ପର ଦୁଇ ଦିନ ଯାଏ ଏହା ବଦଳିବନି । ୨୪ସୁଦ୍ଧା ଏହା ୨ ଡିଗ୍ରୀ କମିବ । ୨୬ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ପାଗ ଶୁଖିଲା ଓ ରାତିରେ କମ୍‌ ଶିଶିର ପଡୁଥିବାରୁ ଫସଲରେ ରୋଗ ପୋଗ କମ୍‌ ରହିବ । ଧାନରେ ଚକଡା ପୋକ ଲାଗିବାର ଆଶଙ୍କା ନାହିଁ । ପନିପରିବାରେ ଜଉ ପୋକ ଲାଗିପାରେ ବୋଲି ସେ ସତର୍କ କରାଇଛନ୍ତି । ତେବେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପାରଦ ତଳମୁହାଁ ହୋଇପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ । ଦକ୍ଷିଣ ଉପକୂଳରେ ୨୩ ଓ ୨୪ ତାରିଖରେ କୁହୁଡ଼ି ସମ୍ଭାବନା ଅଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

Exit mobile version