Site icon ଆଜିକାଲି

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା, ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ

Transparent umbrella under heavy rain against water drops splash background. Rainy weather concept.

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଦିଗରେ ଆଗକୁ ବଢୁଛି । ଘଣ୍ଟାପ୍ରତି ୧୩ କିଲୋମିଟର ବେଗର ଗତି କରୁଛି ଅବପାତ । ଆଜି ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହେବ । ଅବପାତ ଏବେ ବିଶାଖାପାଟଣାରୁ ୩୮୦ କିଲୋମିଟର ଦକ୍ଷିଣ ପୂର୍ବରେ, ପାରାଦୀପରୁ ୪୮୦ କିଲୋମିଟର ଦକ୍ଷିଣ ଓ ଦୀଘାରୁ ୬୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି । ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ହେବ । ଏହାପରେ ରିକର୍ଭ କରିବ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ସକାଳେ ଗଭୀର ଅବପାତ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ । ୧୮ ତାରିଖ ସକାଳେ ଏହା ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁପୁରା ମଧ୍ୟରେ ଡିପ୍ ଡିପ୍ରେସନ୍ ଭାବରେ ଅତିକ୍ରମ କରିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଓ ଏହା ବଢ଼ି ୭୦ କିଲୋମିଟର ଛୁଇଁପାରେ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୬ ଜିଲ୍ଲା ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବରକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୨ ଜିଲ୍ଲା ଭଦ୍ରକ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୩ ଜିଲ୍ଲା ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଅବପାତ ପ୍ରଭାବରେ ଅଶାନ୍ତ ହୋଇଛି ସମୁଦ୍ର । ଏଥିପାଇଁ ୧୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

Exit mobile version