Site icon ଆଜିକାଲି

ଆଜିଠୁ ରାଜ୍ୟରେ କମିବ ବର୍ଷା

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କମିବ ବର୍ଷା। ଉତ୍ତର ପଶ୍ଚିମ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ଦୁର୍ବଳ ହୋଇଛି । ଫଳରେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଅଧିକ ବର୍ଷା ନାହିଁ । କିନ୍ତୁ ରବିବାର ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ତେବେ ଆଜି ୬ଟି ଜିଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲାଗୁଡ଼ିକ ହେଲା ମୟୂରଭଞ୍ଜ, ଅନୁଗୋଳ, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର । ତେବେ ହୀରାକୁଦର ଜଳସ୍ତର କମୁଥିବାରୁ ଓ ଉପରମୁଣ୍ଡରେ ବର୍ଷାର ପ୍ରଭାବ ନଥିବାରୁ ମାତ୍ର ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୨୧ ଓ ୨୨ ତାରିଖରେ ରାଜ୍ୟରେ ଆଦୌ ବର୍ଷା ନାହିଁ । ୨୩ ଓ ୨୪ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶା ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । କିନ୍ତୁ କୌଣସି ଅଞ୍ଚଳରେ ବିସ୍ତୃତ ବର୍ଷାର ଆଶଙ୍କା ନାହିଁ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡିର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।୨୧ରେ ଛତିଶଗଡ଼ର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ୨୩ ଓ ୨୪ରେ ମୌସୁମୀ ଟ୍ରଫ୍‌ ପ୍ରଭାବରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । କିନ୍ତୁ ଆଗାମୀ କିଛି ଦିନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ । ଚାଷୀମାନେ ବିଲରେ ପାଣି ବାନ୍ଧି ରଖି ଚାଷ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Exit mobile version