Site icon ଆଜିକାଲି

ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି)ରୁ ବିଦା ହେଲେ ଧାମନଗର ଉପ-ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ।

ଧାମନଗର ଉପ-ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରସୋରରେ ଚାଲିଥିବାବେଳେ ବିଜେଡି, ବିଜେପି, କଂଗ୍ରେସ ଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । ବିଜେଡି ଟିକେଟରୁ ବଂଚିତ ହେବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର । ଆଉ ତାଙ୍କୁ ମନାଇବା ପାଇଁ ବିଜେଡି ପକ୍ଷରୁ ଉଦ୍ୟମ କରାଯାଇଥିଲେ ବି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ପ୍ରାର୍ଥୀପତ୍ର ଦାଖଲ ପରେ ବି ବିଜେଡି ଆଶା ରଖିଥିଲା ଯେ ରାଜୁ ଦାସ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । କିନ୍ତୁ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ କିନ୍ତୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ।

ସୂଚନା ଯେ, ଧାମନଗର ଉପନିର୍ବାଚନରେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ବାଧୀନ ଭାବେ ରାଜେନ୍ଦ୍ର ଦାସ, ପବିତ୍ର ମୋହନ ଦାସଙ୍କୁ ମିଶାଇ ମୋଟ୍‌ ୫ ଜଣ ରହିଛନ୍ତି। ବିଜେପି, ବିଜେଡି, କଂଗ୍ରେସ ତିନି ପ୍ରମୁଖ ଦଳର ଦଳୀୟ ଚିହ୍ନ ରହିଥିବା ବେଳେ ବିଜେଡିର ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନୌକା ଓ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି। ଭଦ୍ରକ ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଲଢେଇ ଜୋରଦାର ହେବ।

Exit mobile version