Site icon ଆଜିକାଲି

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପରେ ଶୀଘ୍ର ବିମାନ ଉଡ଼ାଣ ନିଷ୍ପତ୍ତି

ବ୍ରହ୍ମପୁର : ଗଞ୍ଜାମ ଜିଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଶୀଘ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ। ପରେ ପରେ ଏଠାରୁ ରାଜ୍ୟର ରାଜଧାନୀ ସମେତ ଆମ ରାଜ୍ୟ ଓ ଅନ୍ୟ ରାଜ୍ୟର ପ୍ରମୁଖ ସ୍ଥାନକୁ ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ନିଆଯିବ। ଏଥିପାଇଁ ଟେଣ୍ଡର୍ ପ୍ରକ୍ରିୟା ସରିଛି, ବୈଷୟିକ ସ୍ଥିତି ସର୍ଭେ ପାଇଁ ଆଲୋଚନା କରାଯାଇଛି। ଶୀଘ୍ର ସମ୍ପ୍ରସାରଣ କାମ ସରିବା ପରେ ସରକାର ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ନେବେ। କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ବେଳେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ବର୍ତ୍ତମାନ ୯୭୫ ମିଟର ଲମ୍ବା, ୧୫୦ ମିଟର ଓସାର ରହିଛି। ତେବେ ଏହାର ରନୱେ ହେଉଛି ୭୫୦ ମିଟର ଲମ୍ବା। ବର୍ତ୍ତମାନ କେବଳ କିଛି ହାତଗଣତି କ୍ଷେତ୍ରରେ ଏହାର ବ୍ୟବହାର କରାଯାଇ ପାରୁଛି ଯଥା ରାଷ୍ଟ୍ରପତି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଆଗମନ ବେଳେ ହେଲିକପ୍ଟର ଚଳାଚଳ, ନିକଟସ୍ଥ ଆର୍ମି ଏୟାର୍ ଡିଫେନ୍ସ କଲେଜର କୌଣସି ବରିଷ୍ଠ ଅଧିକାରୀଙ୍କ ଆଗମନ ବେଳେ କାମରେ ଲାଗୁଛି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌। ଏହାକୁ ସମ୍ପ୍ରସାରଣ କରାଗଲେ ଛୋଟ ଓ ମଧ୍ୟମ ଆକାରର ବିମାନ ଏଠାରୁ ଉଡ଼ାଣ ବା ଏଠି ଅବତରଣ ସମ୍ଭବ ହୋଇପାରିବ। ଏକ ନିୟମିତ ତଥା କ୍ଷୁଦ୍ର ବିମାନବନ୍ଦର ଭାବେ କାର୍ଯ୍ୟ କରିପାରିବ। ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପାଇଁ ଜମି ଅଧଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଶ୍ୟକ ସରକାରୀ ଓ ବେସରକାରୀ ଜମି ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୧୫ ଏକର ଖାଲି ଜାଗା ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ଜମିର ସ୍ଥିତିକୁ ନେଇ ଉଚ୍ଚଶିକ୍ଷା ବିଭାଗକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଉକ୍ତ ସ୍ଥାନ ତଥା ଏୟାରଷ୍ଟ୍ରିପ୍ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।

Exit mobile version