Site icon ଆଜିକାଲି

ଆଜି ଖୋଲିବ ରତ୍ନଭଣ୍ଡାର, ଶୁଭ ମୁହୂର୍ତ୍ତ ଦିନ ୧ଟା ୨୮ ମିନିଟ

ପୁରୀ: ଆଜି ଖୋଲାଯିବ ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ତଦାରଖ କମିଟି ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା (ଏସ୍‌ଓପି)କୁ ଅନୁମୋଦନ କରିଛନ୍ତି ସରକାର। ସେଥିପାଇଁ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇସାରିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ମିନିଟ ହେଉଛି ଶୁଭ ମୁହୂର୍ତ୍ତ। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ। ଯାଞ୍ଚ କମିଟିରୁ ମୁଁ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯିବୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଦେଉଳ କରଣ ଓ ଭଣ୍ଡାର ମେକାପ ମଧ୍ୟ ଯିବେ। ୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟ ପ୍ରଶାସକ ଟ୍ରେଜେରୀରୁ ଚାବି ମଗାଇଛନ୍ତି। ସେହିପରି ରତ୍ନଭଣ୍ଡାର ଖୋଲା ଯିବା ସମୟରେ ମନ୍ଦିର ନ ଆସିବାକୁ ଶ୍ରଦ୍ଧାଳୁଙ୍କୁ ଅପିଲ୍ କରିଛନ୍ତି ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚିଛି ଆଜ୍ଞାମାଳ। ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସି ଶ୍ରୀମନ୍ଦିରରେ ପହଞ୍ଚିଛି। ଆଜ୍ଞାମାଳ ଧରି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ସେବାୟତ।

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ୧୫ ଜଣିଆ ଓଡ୍ରାଫ ଟିମ୍‌। ହାଇମାସ୍କ ଲାଇଟ ଧରି ସେମାନେ ଭିତରକୁ ଯାଇଛନ୍ତି। ଶ୍ରୀମନ୍ଦିର ବାହାରେ ସ୍ନେକ ହେଲପ୍ ଲାଇନ ଟିମ୍‌ ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

Exit mobile version