Site icon ଆଜିକାଲି

୮୬ ତମ ଜନ୍ମ ଜୟନ୍ତୀରେ ମନେପଡନ୍ତି ଖୋକାଭାଇ

ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଜଗତର ସେ ହେଉଛନ୍ତି ବାଦଶାହା । ଏକାଧାରରେ ସେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ ଓ ଔପନ୍ୟାସିକ ଭାବେ ବେଶ ପରିଚିତ । ସେ ଖୋକା ଭାଇ ନାମରେ ଅଧିକ ଜଣାଶୁଣା । ଆଜି ତାଙ୍କର ୮୬ ତମ ଜନ୍ମ ଜୟନ୍ତୀ । ୧୯୩୬ ମସିହା ଆଜିର ଦିନରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଆଧୁନିକ ତଥା ସୁଗମ ସଙ୍ଗୀତର ଜନ୍ମଦାତା ବୋଲି ମଧ୍ୟ ତାଙ୍କୁ କୁହାଯାଇଥାଏ। ସଙ୍ଗୀତ ପ୍ରତି ତାଙ୍କର ରୁଚି ତାଙ୍କୁ ଦେଇଥିଲା ନୂଆ ପରିଚୟ । ଆଉ ହୋଇଗଲେ ସେ ସଙ୍ଗୀତ ଜଗତର ବାଦଶାହା । ଗୀତ ଗାଇବା , ଗୀତ ଲେଖିବା ଏବଂ ଏହାକୁ ସ୍ବରରେ ସଜାଇବା ସହିତ ଓଡିଆ ସଙ୍ଗୀତ ଏକ ନୂଆ ଧାରା ସୃଷ୍ଟି କରିଥିଲେ ଅକ୍ଷୟ ମହାନ୍ତି। ପ୍ରଚ୍ଛଦପଟ୍ଟ ସଙ୍ଗୀତ ହେଉ, କି ଆଧୁନିକ ଗୀତ, କି ଲୋକଗୀତ ଏବଂ ଭଜନ ଅକ୍ଷୟ ମହାନ୍ତି ନିଜର ପରିଚୟ ଛାଡ଼ି ଦେଇଯାଇଛନ୍ତି। କେବଳ ସଙ୍ଗୀତରେ ସେ ସୀମିତ ନଥିଲେ। ସେ ମଧ୍ୟ ସାହିତ୍ୟରେ ଅନେକ ଅଭୁଲା ସ୍ମୃତି ଛାଡ଼ିଯାଇଛନ୍ତି।

ଅକ୍ଷୟଙ୍କ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତ ପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ । ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ଓ ଦୁଇ ଝିଅ ଅଛନ୍ତି ।

ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ତାଙ୍କର ଜୟନ୍ତୀ । ସେ ୧୨୯ଟି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି, ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଅକ୍ଷୟ ମହାନ୍ତି ଜଣେ ଅନୁଷ୍ଠାନ ଥିଲେ। ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି। ଯା’ରେ ଭାସି ଭାସି ଯା’ ସତରେ ଗୀତ ନୁହେଁ ଏକ ଅଭୁଲା ଇତିହାସ। ତା’ଛଡ଼ା ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ‘ଚନ୍ଦ୍ର ମଲ୍ଲୀ ହସେ, ଚିତ୍ର ଲେଖା ଉଠେ’, ‘କଳଙ୍କିତ ଏଇ ନାୟକ ଆଖିରୁ, ଲୁହ ବି ପଡ଼ିଲେ ଝରି’, ‘ଏ’ ଏ’ ଆଲୋ ଆଲୋ ମଣି’, ‘ପୁଣ୍ୟର ନଦୀ ତିରେ ପାପର ତରୁ ଡାଳେ’, ‘ମତେ ସାଇଲା ସାଇଲା ତୋ ନାକର ଗୁଣା’, ‘ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି’, ଯାଯାବର ମନମୋର’, ‘ସ୍ମୃତି ତୁମେ ପାଉଁଶ ତଳର ନିଆଁ’, ‘ନଦୀର ନାମ ଅଳସ କନ୍ୟା’, ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଏବଂ ଆହୁରି କେତେ। ୨୦୦୨ ନଭେମ୍ବର ୧୭ରେ ଓଡ଼ିଆ ସଙ୍ଗୀତ ଜଗତର ଏହି କିମ୍ବଦନ୍ତୀ ପୁରୁଷ ଆଖି ବୁଜିଥିଲେ।

Exit mobile version