Site icon ଆଜିକାଲି

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା, ପିଜି କାଉନସିଲ ଅଧ୍ୟକ୍ଷା ଅସ୍ଥାୟୀ କୁଳପତି

ସମ୍ବଲପୁର: ଶେଷରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ତାଙ୍କ ଇସ୍ତଫା କୁଳାଧିପତିଙ୍କ ଦ୍ବାରା ଗୃହୀତ ହୋଇଛି। ତେବେ, ନୂତନ କୁଳପତି ଚୟନ ଯାଏ ଅସ୍ଥାୟୀ କୁଳପତି ଭାବେ ପିଜି କାଉନସିଲ ଅଧ୍ୟକ୍ଷା କୁଳପତି ଦାୟିତ୍ବ ନିର୍ବାହ କରିବେ ବୋଲି ରାଜଭବନରୁ ନିର୍ଦ୍ଦେଶ ଆସିଛି।କୁଳପତି ଭାବେ ପ୍ରଫେସର ମିତ୍ତଲ ଯୋଗଦେବା ଦିନରୁ ବିବାଦୀୟ ହୋଇ ପଡିଥିଲେ। ପ୍ରଥମରୁ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହୂତି ଘଟଣାରେ ବିବାଦୀୟ ଥିବା ବେଳେ ଜ୍ୟୋତିବିହାରରେ ବେଆଇନ ଗଛକଟା, ହଜାର ହଜାର ବହି ଫୋଫାଡିବା ଆଦି ଅନେକ ପ୍ରସଙ୍ଗରେ ସେ ଅଡୁଆରେ ପଡିଥିଲେ। ଏଭଳି ସ୍ଥିତିରେ ପ୍ରାୟ ଅଧକୋଟିର ଆର୍ଥିକ ଅନିୟମିତତାରେ ଛନ୍ଦି ହୋଇଥିଲେ। ଏନେଇ କୁଳାଧିପତିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇ ପୂର୍ବତନ ସିନେଟ ଓ ସିଣ୍ଡିକେଟ ସଦସ୍ଯ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏପରିକି ନିଜ ସ୍ତ୍ରୀ ଓ ପୁଅଙ୍କ ଆକାଉଣ୍ଟରେ ଉକ୍ତ ଟଙ୍କା ଜମା କରି ଦେଇଥିଲେ। ତେବେ, ସରକାରଙ୍କ ନିର୍ଦ୍ଦେଶରେ ଉକ୍ତ ଟଙ୍କା ପୁଣି ଫେରସ୍ତ କରିବାକୁ ବାଧ୍ଯ ହୋଇଥିଲେ। ଏଭଳି ସ୍ଥିତିରେ ତାଙ୍କୁ ସରକାର ଛୁଟିରେ ଯିବାକୁ ନିଦ୍ଦେର୍ଶ ଦେବାରୁ ସେ ଗତ ମାସେ ମଧ୍ଯରେ ତିନିଥର ଛୁଟି ବଢାଇଥିଲେ। ଆଉ ୪ ଦିନ ତଳେ ସେ କୁଳାଧିପତିଙ୍କୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ଆଉ କୁଳାଧିପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିନେଇଥିବା ସରକାରୀ ଭାବେ ସୂଚନା ମିଳିଛି। ସେପଟେ ନୂତନ କୁଳପତି ଚୟନ ହେବା ଯାଏ ପିଜି କାଉନସିଲ ଅଧ୍ୟକ୍ଷା କୁଳପତି ଦାୟିତ୍ବରେ ରହିବେ ବୋଲି ରାଜଭବନରୁ ନିର୍ଦ୍ଦେଶ ଜାରି ହୋଇଛି।

Exit mobile version