Site icon ଆଜିକାଲି

ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା

ଭୁବନେଶ୍ୱର – ରାଜ୍ୟରେ ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେ ପନିପରିବା ଚାଷ ଦ୍ଵାରା ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ପନିପରିବା ଓ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଯୋଜନାର ସମୀକ୍ଷା କରି ବିଭାଗୀୟ ସଚିବ ଡକ୍ଟର ପାଢ଼ୀ ଯୋଜନାଗୁଡ଼ିକରେ ଜିଲ୍ଲା ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ କ୍ଷେତ୍ରସ୍ତରର ଅଧିକାରୀମାନେ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପନିପରିବା ଆଦି କୃଷିଜାତ ଦ୍ରବ୍ୟର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ରାଜ୍ୟରେ ୧୦ରୁ ୧୫ ଟନ କ୍ଷମତା ବିଶିଷ୍ଟ ଏକ ହଜାରରୁ ଉର୍ଦ୍ଧ୍ବ କୋଲଡ୍ ରୁମ୍ ସ୍ଥାପନ କରାଯିବ । ଏଥିସହିତ ରାଜ୍ୟରେ ଆଳୁ ଚାଷକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୩ – ୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ ଆଳୁ ଚାଷ କରାଯାଇଥିବାବେଳେ ରବି ଋତୁରେ ଆଳୁଚାଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକ ଆଳୁ ଉତ୍ପାଦନ ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ଡକ୍ଟର ଅରବିନ୍ଦ ପାଢ଼ୀ କହିଥିଲେ । ବୈଠକରେ ପିଆଜ , ହାଇବ୍ରିଡ୍ ପନିପରିବା , ମସଲା , ଅଦା , ହଳଦୀ , ଲଙ୍କା ଚାଷ ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି । ଏଥିସହିତ ଜିଲ୍ଲା ନିମନ୍ତେ ଉଦ୍ଦିଷ୍ଟ ଅଏଲ୍ ପାମ୍ କଂପାନୀମାନଙ୍କ ସହିତ ନିୟମିତ ବୈଠକ କରି ଜିଲ୍ଲାରେ ଅଏଲ୍ ପାମ୍ ଚାଷ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ୱତନ୍ତ୍ର ଯୋଜନା ଅଧୀନରେ କଦଳୀ , ସେଓ , କମଳା , ଲିଚୁ , ସପୁରୀ , ଅମୃତଭଣ୍ଡା , ପିଜୁଳି , ଡାଳିମ୍ବ ଓ ପଣସ ଆଦି ଚାଷ ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା । ଏଥିସହିତ ବୈଠକରେ ଫାର୍ମ ପଣ୍ଡ ପ୍ଲସ୍ ଯୋଜନାରେ ସମନ୍ବିତ କୃଷି , ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନରେ ବିଭିନ୍ନ ଚାରା ରୋପଣ କାର୍ଯ୍ୟକ୍ରମ , ରିୱାର୍ଡ ଯୋଜନାରେ ଜଳସେଚନ ସୁବିଧା , କଫିଚାଷ , ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା , କୂପ ଖନନ , ଜାତୀୟ ହର୍ଟିକଲଚର ମିଶନରେ ନଡିଆ ଚାଷ ଆଦି କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସ୍କିମ୍ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାର ଉପନିର୍ଦ୍ଦେଶକ , ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ଅଧିକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକମାନେ ଯୋଗଦେଇଥିଲେ ।

Exit mobile version