Site icon ଆଜିକାଲି

କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କ ପାଇଁ ଛାତ୍ରବୃତ୍ତି ମାର୍ଗଦର୍ଶିକାରେ ସଂଶୋଧନ, ରାଜ୍ୟର ପ୍ରିମିୟର ଓ ଘରୋଇ ଶିକ୍ଷାନୁଷ୍ଠାନ ସାମିଲ

ଭୁବନେଶ୍ବର : କାଳିଆ ଯୋଜନା ହିତାଧିକାରୀମାନଙ୍କ ପିଲାଙ୍କୁ ଦିଆଯାଉଥିବା ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି। ଅଧିକରୁ ଅଧିକ ପିଲା ଯେପରି କାଳିଆ ଛାତ୍ରବୃତ୍ତି ଜରିଆରେ ଉପକୃତ ହୋଇପାରିବେ, ସେଥିପାଇଁ ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି ସ‍ଂଶୋଧିତ ମାର୍ଗଦର୍ଶିକା ଅନୁସାରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ଓ ରାଜ୍ୟ ବାହାରର ପ୍ରିମିୟର ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍ ଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେସନ କୋଡ୍ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ମଧ୍ୟ ସାମିଲ କରାଯାଇଛି।

ମାର୍ଗଦର୍ଶିକା ଅନୁସାରେ ପୂର୍ବର ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିରେ ନୂଆ କରି ବିବିଏ, ବିସିଏ ଓ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମକୁ ସାମିଲ କରାଯାଇଛି । ପିଜି ପାଇଁ ସର୍ବାଧିକ ୨ବର୍ଷ ଓ ପିଏଚଡି ପାଇଁ ସର୍ବାଧିକ ୪ବର୍ଷ କାଳିଆ ଛାତ୍ରବୃତ୍ତି ମିଳିବ । ଆଇଟିଆଇ ଟ୍ରେଡର ଛାତ୍ରଛାତ୍ରୀ ମଧ୍ୟ ବୃତ୍ତି ପାଇବେ । ପିଜି, ୟୁଜି ଓ ପିଏଚଡି ଶିକ୍ଷାନୁଷ୍ଠାନରେ ମାସିକ ହଷ୍ଟେଲ ଖର୍ଚ୍ଚ ୧୨୦୦ ଟଙ୍କା ମିଳିବ । ଡିପ୍ଲୋମା, ପଲିଟେକନିକ ଓ ଆଟିଆଇ ପିଲାଙ୍କୁ ମାସିକ ହଷ୍ଟେଲ ଖର୍ଚ୍ଚ ୧୦୦୦ ଟଙ୍କା ମିଳିବ ।

Exit mobile version