Site icon ଆଜିକାଲି

ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା: କେନ୍ଦୁଝରରେ ବରଯାତ୍ରୀଙ୍କ ଉପରେ ଟ୍ରକ ଚଢ଼ିଯିବାରୁ ୫ ମୃତ

କେନ୍ଦୁଝର, କେନ୍ଦୁଝର ଷଠିଘର ସାହି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବରଯାତ୍ରୀ ଦଳ ଉପରେ ଟ୍ରକ ମାଡିଯିବାରୁ ୫ଜଣଙ୍କ ମୃତ୍ୟୁ ସହ ୯ ଗୁରୁତର ହୋଇଥିବା ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଏକ ବରଯାତ୍ରୀ ଦଳ ୨୦ ନମ୍ବର ଜାତୀୟ ରାଜପଥରେ ରୋଷଣି ଜାଳି ପଟୁଆରରେ ଆସୁଥିଲା। ଷଠିଘର ନିକଟରେ ବରଯାତ୍ରୀ ଦଳ ପହଞ୍ଚିବା ସମୟରେ ଟ୍ରକଟି ଦ୍ରୁତଗତିରେ ଆସି ଉକ୍ତ ଦଳ ଉପରେ ଚଢ଼ି ଯାଇଥିଲା। ମୃତକମାନେ ହେଲେ ମାନପୁର ଗ୍ରାମର ଜିତ୍‌ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତିମୁଣ୍ଡା, ଷଠୀଘରର ଅମିତ ପାତ୍ର ଓ କେଉଟ ସାହିର ବାପୁନ ଦେହୁରୀ। ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ, ମାନପୁର ଗ୍ରାମରୁ ବରଯାତ୍ରୀ ଦଳ ରୋଷଣି ଜାଳି ନାଚଗୀତରେ ମସଗୁଲ ହୋଇ ଆସୁଥିଲେ। ଷଠିଘର ସାହି ନିକଟ କନ୍ୟା ଘରେ ପହଞ୍ଚିଥିଲେ। କନ୍ୟାଘର ନିକଟରେ ବରଯାତ୍ରୀ ଦଳ ନାଚୁଥିବାବେଳେ ଟ୍ରକଟି ମାଡି ଯାଇଥିଲା। ୯ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସାଂଘାତକ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୬ଜଣଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଅଘଟଣ ପରେ ବର ବାହା ନ ହୋଇ ଫେରିଯାଇଥିବାବେଳେ ପ୍ରାୟ ୩ କିମି ଦୂର ଗୋଡାଇ ଗୋଡାଇ ପୁଲିସ ଟ୍ରକକୁ ଜବତ କରିଛି। ତେବେ ଆହତମାନଙ୍କ ଏବେ ସୁଦ୍ଧା ପରିଚୟ ମିଳିନାହିଁ।

Exit mobile version