Site icon ଆଜିକାଲି

ଦକ୍ଷିଣ ଓଡ଼ିଶାରେ ସଡ଼କ ଯାତ୍ରା ହେବ ସୁଗମ : ୭୦୦୦ କୋଟିରେ ବ୍ରହ୍ମପୁରରୁ ଜୟପୁର ବିଜୁ ଏକ୍ସପ୍ରେସ୍ ୱେ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ସଡ଼କ ଗମନାଗମନ ପୂର୍ବାପେକ୍ଷା ଅଧିକ ସୁବିଧାଜନକ ହେବ। ରାଜ୍ୟର ଦକ୍ଷିଣାଞ୍ଚଳର ଦୁଇ ପ୍ରମୁଖ ସହର ବ୍ରହ୍ମପୁର ଓ ଜୟପୁର ମଧ୍ୟରେ ଯାତାୟାତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ ହ୍ରାସ ପାଇବ। ପ୍ରାୟ ୭ ହଜାର କୋଟି ଟଙ୍କାରେ ୩୦୫ କିମି ରାସ୍ତାକୁ ୪ ଥାକିଆ ସମ୍ପ୍ରସାରିତ ତଥା ବିକଶିତ କରାଯିବ। ସମୟ ହ୍ରାସ ସହ ଏହି ଏକ୍ସପ୍ରେସ୍ ୱେ ସାଜିବ ଦକ୍ଷିଣ ଓଡ଼ିଶାର ନୂଆ ଅର୍ଥନୈତିକ କରିଡର୍। କେବଳ ଏତିକି ନୁହେଁ ସାମଗ୍ରୀକ ଭାବେ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ଏହି ରାସ୍ତା ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି ବିଜୁ ଏକ୍ସପ୍ରେସ୍ ୱେ ୪ଟି ଜିଲ୍ଲାର ୧୫ଟି ବ୍ଲକ୍ ଦେଇ ଗତି କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାର ପ୍ରତିଫଳନ କରୁଥିବା ଏହି ମେଗା ପ୍ରକଳ୍ପରେ ଗଞ୍ଜାମ ଜିଲ୍ଲାରେ ୪୩ କିମି, ଗଜପତି ଜିଲ୍ଲାରେ ୪୭ କିମି, ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୫୮ କିମି ଓ କୋରାପୁଟ ଜିଲ୍ଲାରେ ୫୭ କିମି ଚାରିଥାକିଆ ରାସ୍ତା ତିଆରି କରାଯିବ। ଫଳରେ ମାଲ ପରିବହନ ଠାରୁ ଆରମ୍ଭ କରି ଗମନାଗମନ, ପର୍ଯ୍ୟଟନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମିର ଲାଭ ମିଳିବ। ଅଞ୍ଚଳବାସୀଙ୍କ ବିକାଶ ତ୍ବରାନ୍ବିତ ହୋଇପାରିବ। ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ଥର ପାଇଁ ରାଜ୍ୟରେ ପାହାଡ଼ କାଟି ଟନେଲ୍ ନିର୍ମାଣ କରାଯିବ। ଫଳରେ ରାସ୍ତା ଦୈର୍ଘ୍ୟ ୨୫ରୁ ୩୦ କିଲୋମିଟର ଓ ଗମନାଗମନ ସମୟ ଆଉ ଦୁଇ ଘଣ୍ଟା ହ୍ରାସ ପାଇବ।

ଏହି ମେଗା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ମଞ୍ଜୁରୀ ଦେଇ ସାରିଛନ୍ତି। ନିକଟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ଲାଗି କନସଲଟାନ୍ସି ସଂସ୍ଥା ଚୟନ ନିମନ୍ତେ ବିଜ୍ଞପ୍ତି ଜାରି କରିଛି ପୂର୍ତ୍ତ ବିଭାଗ। ଉକ୍ତ ସଂସ୍ଥା ଆଲାଇନ୍‌ମେଣ୍ଟ କରିବା ସହ ଜମି ଅଧୁଗ୍ରହଣ, ଜଙ୍ଗଲ ବିଭାଗ ଅନୁମତି ପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି, ଜମି ଅଧିଗ୍ରହଣ ମନିଟରିଂ ସିଷ୍ଟମ ବିକାଶ କରିବ। ଜମି ଅଧିଗ୍ରହଣ ପରେ ଥଇଥାନ, ବ୍ରିଜ୍ ନିର୍ମାଣ, ରାଜପଥ ଡିଜାଇନ୍, ଟନେଲ୍, ସର୍ଭିସ୍ ରୋଡ୍, ସଡ଼କ ସୁରକ୍ଷା ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିବ। ପ୍ରକାଶ ଥାଉକି ଗତବର୍ଷ ଡିସେମ୍ବରରେ ଗଜପତି ଜିଲ୍ଲା ଗସ୍ତ ବେଳେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୩ ବର୍ଷ ମଧ୍ୟରେ ଏହି ଗ୍ରୀନ୍ ଫିଲ୍ମ ପ୍ରୋଜେକ୍ଟ ନିର୍ମାଣ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଥିଲେ। ଏହି ରାଜପଥରେ ବ୍ରହ୍ମପୁରରୁ ମୋହନା ପହଞ୍ଚିବାକୁ ମାତ୍ର ୪୫ ମିନିଟ୍ ସମୟ ଲାଗିବ ବୋଲି ସେ ସୂଚାଇଥିଲେ। ଦକ୍ଷିଣ ଓଡିଶାବାସୀ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପରୁ ବ୍ୟାପକ ଉପକୃତ ହେବେ।

Exit mobile version