Site icon ଆଜିକାଲି

ଓଡ଼ିଶା ଗସ୍ତରେ ରୁଆଣ୍ଡା ପ୍ରତିନିଧି ଦଳ : ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଓଡ଼ିଶାର ପାନୀୟ ଜଳ ଓ ପରିମଳ ସେବା ବ୍ୟବସ୍ଥା ସଂପର୍କରେ ଆଲୋଚନା

ଭୁବନେଶ୍ବର –ରୁଆଣ୍ଡା ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରୁଆଣ୍ଡା ସରକାରଙ୍କ ଭିତ୍ତିଭୂମି ବିକାଶ ମନ୍ତ୍ରାଳୟ ବିଭାଗ , ଜଳ ଓ ପରିମଳ ନିଗମ , ୱାଟର ଫର ପିପୁଲ ଏବଂ ଆଇଆରସି ଆନ୍ତର୍ଜାତିକ ସ୍ତରୀୟ ସ୍ଵେଚ୍ଛାସେବୀ ସଂଗଠନର ଉଚ୍ଚ କର୍ତ୍ତୃପକ୍ଷ ଏହି ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ପରିଦର୍ଶନ ସହ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ପ୍ରତିନିଧି ଦଳ ଓଡ଼ିଶା ଆସିଛନ୍ତି। ସେମାନେ ଆଜି ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି . ମାଥିଭାଥାନନଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏକ ବୈଠକରେ ଆଲୋଚନା କରିଥିଲେ ।

ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ପରିମଳ ସେବା ଯୋଗାଇବା କ୍ଷେତ୍ରରେ ଓଡିଶା ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସହାରାଞ୍ଚଳ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଓଡିଶା ସରକାରଙ୍କ ଚବିଶ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ବ୍ୟବସ୍ଥା ସାରା ବିଶ୍ବରେ ପ୍ରଶଂସିତ ହେବା ସହିତ ଏହା ଅନ୍ୟ ରାଜ୍ୟ ତଥା ଅନ୍ୟ ଦେଶ ପାଇଁ ଅନୁକରଣୀୟ ହୋଇଛି । ଓଡିଶା ଗସ୍ତରେ ଆସିଥିବା ରୁଆଣ୍ଡା ପ୍ରତିନିଧି ଦଳ ଓଡିଶାର ସହରାଞ୍ଚଳ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ପୂର୍ବକ ବିଭିନ୍ନ ବୈଠକରେ ଆଲୋଚନାରୁ ଶିକ୍ଷା ଲାଭ କରି ରୁଆଣ୍ଡା ସରକାର ଏବଂ ପ୍ରମୁଖ ସଂସ୍ଥାଗୁଡ଼ିକର ଭୂମିକାକୁ ଉନ୍ନତ କରିବାକୁ ଓଡିଶା ସରକାରଙ୍କ ସମ୍ଭାବ୍ୟ ସହାୟତା ସଂପର୍କରେ ଆଲୋଚନା କରିଥିଲେ ।

ସହରାଞ୍ଚଳରେ ନିରନ୍ତର ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାର ସମ୍ମୁଖୀନ ହେଉଥ‌ିବା ଆହ୍ଵାନ ଓ ସେସବୁକୁ ସମାଧାନ କରିବାରେ ରୁଆଣ୍ଡା ପ୍ରତିନିଧି ଦଳର ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ , ସମସ୍ତଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ‘ ପ୍ରତ୍ୟେକ ଜୀବନ ମୂଲ୍ୟବାନ’କୁ ଗୁରୁତ୍ବ ଦେଇଛନ୍ତି । ଗୋଷ୍ଠୀ ସହଭାଗିତାରେ ଗୁଣାତ୍ମକ ୨୪ ଘଣ୍ଟା ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯାଉଛି । ସହରାଞ୍ଚଳ ସମେତ ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବା କ୍ଷେତ୍ରରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇଁ ଅର୍ଥ ପ୍ରତିବନ୍ଧକ ହୋଇ ରହିନାହିଁ ବରଂ ପ୍ରତି ଅର୍ଥର ମୁଲ୍ୟବୋଧକୁ ବୁଝିବା ସହ ଗୁଣାତ୍ମକ କାର୍ଯ୍ୟକୁ ସୁନିଶ୍ଚିତ କରାଯାଉଛି । ସମ୍ମିଳିତ ପ୍ରୟାସକୁ ପାଥେୟ କରି ଏ କ୍ଷେତ୍ରରେ ରହୁଥିବା ସମସ୍ତ ଆହ୍ୱାନର ମୁକାବିଲା କରାଯାଉଥିବା ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ରୁଆଣ୍ଡା ପ୍ରତିନିଧ‌ି ଦଳକୁ ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ , ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆମର ଦକ୍ଷ ଇଂଜିନିୟରମାନେ ଭିତ୍ତିଭୂମି ସୁବିଧା କରିବା ସହିତ ସ୍ଥାନୀୟ ବିଭିନ୍ନ ଗୋଷ୍ଠୀ , ସ୍ୱେଚ୍ଛାସେବୀ ଓ ମହିଳା ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରି ଜଳର ଉତ୍ତମ ସାମାଜିକ ବ୍ୟବହାରିକ ପରିବର୍ତ୍ତନ ସଂପର୍କରେ ସଚେତନତା ସୃଷ୍ଟି କରୁଛନ୍ତି । ଏହି ସମସ୍ତ ଗୋଷ୍ଠୀ ଓ ଅନୁଷ୍ଠାନମାନେ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛନ୍ତି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସହଯୋଗୀ ଅନ୍ୟ ବିଭାଗମାନଙ୍କୁ ନେଇ ରାଜ୍ୟରେ ଏଭଳି ଇକୋସିଷ୍ଟମ ତିଆରି ହୋଇଛି । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ଯ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସହଜ ପରିଚାଳନା ହୋଇପାରୁଛି ।

ରାଜ୍ୟରେ ଜଳ ଯୋଗାଣ କ୍ଷେତ୍ରରେ ସଫଳତା ଅନ୍ୟ ରାଜ୍ୟମାନଙ୍କୁ ଏ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେଉଛି । ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଠାରୁ ଆରମ୍ଭ କରି ସହରାଞ୍ଚଳ ବିକାଶ ଓ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ସଂପନ୍ନ ଚିନ୍ତାଧାରା ଓ ଏହାକୁ କାର୍ଯ୍ୟକାରୀ କରିବାରେ ପ୍ରତିବଦ୍ଧତା ରାଜ୍ୟ ସରକାରଙ୍କୁ ସଫଳତା ଆଣି ଦେଇଛି ବୋଲି ସେ ପ୍ରକାଶ କରିଥିଲେ । ସବୁ ଘରକୁ ଗୁଣାତ୍ମକ ପାନୀୟ ଜଳଯୋଗାଣ ପାଇଁ ନିୟମିତ ତଦାରଖ , ପ୍ରଭାବୀ ଅଧ୍ୟୟନ ଓ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯାଉଥିବା ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ । ଏହି ଅବସରରେ ପ୍ରତିନିଧିଦଳ ମଧ୍ୟ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ରୁଆଣ୍ଡା ପ୍ରତିନିଧି ଦଳ ସେମାନଙ୍କ ଗସ୍ତକାଳରେ ସତ୍ୟନଗର ଉନ୍ନତି ଭବନ ସ୍ଥିତ ଓଡିଶା କଳ ନିଗମ ( ଘାଟକୋ ) କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଓଡିଶା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ଭୁବନେଶ୍ବର ଓ ପୁରୀରେ ଚବିଶ ଘଣ୍ଟିଆ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପରିଦର୍ଶନ କରି ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଜି ସେମାନେ ସହରାଞ୍ଚଳ ସେବା ଯୋଗାଣ ଓ ବିକାଶ ପାଇଁ ଉଦ୍ଦିଷ୍ଟ ସ୍ଥାପିତ ଓଡିଶା ଅର୍ବାନ୍ ଏକାଡେମୀ ଗସ୍ତ କରିବା ସହିତ ବାସୁଆ ଘାଇ ସ୍ଥିତ ମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ବ୍ୟବସ୍ଥା ପରିଦର୍ଶନ କରିଥିଲେ ।

Exit mobile version