Site icon ଆଜିକାଲି

ବୋରବେଲରୁ ସୁରକ୍ଷିତ ଉଦ୍ଧାର ଶିଶୁ- ପ୍ରଶାସନକୁ ସାରା ଦେଶରୁ ପ୍ରଶଂସାର ସୁଅ

ସମ୍ବଲପୁର : ଦୀର୍ଘ ୮ ଘଣ୍ଟାର ଅପରେସନ୍ ପରେ ବୋରବେଲ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି ସଦ୍ୟଜାତ ଶିଶୁକନ୍ୟା। ଏହି ଘଟଣାରେ ପ୍ରଶାସନ ଏବଂ ସରକାରୀ କଳର ଅଭୂତପୂର୍ବ ତତ୍ପରତା ହିଁ ଶିଶୁର ଜୀବନ ବଞ୍ଚାଇଛି ଏକଥା ଆଜି ବିରୋଧୀ ବି ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି। ସେପଟେ, ସାରା ଦେଶରୁ ଉଦ୍ଧାରକାରୀ ଦଳ ସମେତ ରାଜ୍ୟ ପ୍ରଶାସନକୁ ଭୁରି ଭୁରି ପ୍ରଶଂସା କରାଯାଉଛି।

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର ଲାରିପାଲି ନିକଟସ୍ଥ ଏକ ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ବୋରବେଲରୁ ଆଜି ଶୁଭିଥିଲା ଏକ ଶିଶୁର କୁଆଁ କୁଆଁ ରାବ। ଜଣେ ବ୍ୟକ୍ତି ଶୌଚ ପାଇଁ ଯିବା ବେଳେ ଏହି ରାବ ଶୁଣି ଉକ୍ତ ବୋରବେଲ ଭିତରେ ଶିଶୁ ପଡିଥିବା ଜାଣିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀଙ୍କୁ ସୂଚନା ଦେବା ପରେ ତୁରନ୍ତ ପ୍ରଶାସନ ତତ୍ପର ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପ୍ରଶାସନ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଦଳ ମିଳିତ ଭାବେ ଏହି ଅପରେସନ୍ ଆରମ୍ଭ କରିଥିଲେ। ଏଥିରେ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ଅବିସ୍ମରଣୀୟ।

ତେବେ, ଉଦ୍ଧାର ପାଇଁ ବୋର୍ ନିକଟରେ ଜେସିବି ସାହାଯ୍ୟରେ ମାଟି ଖୋଳା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ତୁରନ୍ତ ଘଟଣାସ୍ଥଳକୁ ଏକ ଭିକ୍ଟିମ ଲୋକେସନ କ୍ୟାମେରା ପଠାଇବାର ବ୍ୟବସ୍ଥା କରିଥିଲେ। ଏଥିପାଇଁ ତୁରନ୍ତ ଭୁବନେଶ୍ବରରୁ ଏକ ସ୍ବତନ୍ତ ବିମାନ ଯୋଗେ ଉକ୍ତ କ୍ୟାମେରାକୁ ଆଣି ଏକ ଦଳ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଗାଡିରେ ସେମାନେ ଘଟଣାସ୍ଥଳରେ ପହଞ୍ଚି କ୍ୟାମେରାକୁ ପାଇପ୍ ତଳକୁ ଖସାଇବା ପରେ ଶିଶୁଟି ସଦ୍ୟଜାତ ଏବଂ ଜୀବିତ ଥିବା ଜଣାପଡିଥିଲା। ଏପରିକି ଏହି କ୍ୟାମେରା ଦ୍ବାରା ହିଁ ଶିଶୁର କୁଆଁ କୁଆଁ ରାବ ସ୍ପଷ୍ଟ ଭାବେ ଜଣାପଡିଥିଲା। ଫଳରେ ଉଦ୍ଧାରକାରୀଙ୍କୁ ଏହି ରାବ ହିଁ ଅଧିକ ଉତ୍ସାହ ଦେଇଥିଲା।

ତେବେ, ଶିଶୁଟି ବୋରବେଲର ୧୫ ଫୁଟ ପାଇପ ତଳେ ପଡିଥିବା ବେଳେ ଉଦ୍ଧାରକାରୀ ଦଳ ୨୦ଫୁଟରୁ ଅଧିକ ମାଟି ଖୋଳିବା ପରେ ଆରିପାତରେ ପାଇପକୁ କାଟିବା ଆରମ୍ଭ କରିଥିଲେ। ସେପଟେ, ପାଇପ ସାହାଯ୍ୟରେ ଏକ ୧୦୦ ୱାଟ୍ ବିଜୁଳି ବତୀ ପଠାଇବାରୁ ଶିଶୁର ତାପମାତ୍ରା ଟିକେ ବୃଦ୍ଧି ପାଇଥିଲା। ଏହାଛଡା ଶିଶୁକୁ ସାଲାଇନ ପାଇପରେ ଅକ୍ସିଜେନ ପଠାଯାଇଥିଲା। ଏପଟେ, କାଟିବା ବେଳେ ଯେମିତି ପାଇପ ଗରମ ନ ହୁଏ ସେଥିପ୍ରତି ଅତି ସତର୍କତାର ସହିତ କଟାଯାଇଥିଲା। ଆଉ ଦୀର୍ଘ ୮ ଘଣ୍ଟା ପରେ ତାକୁ ସୁରକ୍ଷିତ ଉଦ୍ଧାର କରିବା ପରେ ସବୁରି ମୁହଁରେ ହସ ଫୁଟିଛି। ସେପଟେ, ଏସପି ମୁକେଶ ଭାମୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମର ତଦାରଖ କରିଥିଲେ। ଆଉ ଶିଶୁ ଉଦ୍ଧାର ହେବା ପୂର୍ବରୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଥିଲେ। ଶିଶୁ ଉଦ୍ଧାର ହେବା ମାତ୍ରେ ତାକୁ ପ୍ରଥମେ ରେଙ୍ଗାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହା ଏକ ଶିଶୁକନ୍ୟା ହୋଇଥିବା ବେଳେ ତାର ନାଭି ବି ଅକ୍ଷତ ଅବସ୍ଥାରେ ଥିବାରୁ ତାହାକୁ ରେଙ୍ଗାଲି ଡାକ୍ତରଖାନାରେ କଟା ଯାଇଥିଲା। ପରେ ରେଙ୍ଗାଲିରୁ ବୁର୍ଲା ଭିମସାରକୁ ନିଆଯାଇଥିଲା। ଏଥିପାଇଁ ସମଗ୍ର ରାସ୍ତାକୁ ପ୍ରଶାସନ ଗ୍ରୀନ କରିଡର ଭାବେ ପ୍ରସ୍ତୁତ କରିଥିଲା। ଭିମସାରରେ ମଧ୍ୟ ୧୦ଜଣିଆ ଡାକ୍ତରୀ ଦଳ ଏସଏନସିୟୁରେ ରଖି ଚିକିତ୍ସା ଆରମ୍ଭ କରିଛନ୍ତି।

ତେବେ, ଏହି ସମଗ୍ର ପ୍ରକ୍ରିୟାରେ ସରକାରୀ କଳର ଅବିଶ୍ବସନୀୟ ତତ୍ପରତା ହିଁ ଶିଶୁକୁ ନୂଆ ଜୀବନ ଦେଇଥିବା ମତପ୍ରକାଶ ପାଇଛି। ଏପରିକି ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଜେପି ବିଧାୟକ ନାଉରୀ ନାଏକ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଂଶସା କରିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ସୀମିତ ସମୟ ମଧ୍ୟରେ ଅପରେସନକୁ ସଫଳତାର ସହ ଚୂଡାନ୍ତ କରିଥିବାରୁ ପ୍ରଶାସନର ଭୁରି ଭୁରି ପ୍ରଶଂସା କରିଛନ୍ତି।

Exit mobile version