କେନ୍ଦୁଝର, ସାରା ଭାରତରେ ଦିବ୍ୟାଙ୍ଗଙ୍କ ପାଇଁ ସାମାଜିକ ସଂଗଠନ ସକ୍ଷମ ତାର ନିରନ୍ତର ସେବା ଯୋଗାଇ ଆସୁଅଛି । ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଭଳି ସେବା ସକ୍ଷମ ପକ୍ଷରୁ ଯୋଗାଇଦିଆ ହେଉଛି । ଓଡ଼ିଶାରେ ସକ୍ଷମ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ ମିଳିତ ଭାବେ ମାଗଣା ଚକ୍ଷୁ ଶିବିର ଆୟୋଜନ କରି ଆସୁଛନ୍ତି । ଆଜି ସକ୍ଷମ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଜିଲ୍ଲା କାରାଗାର ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ସ୍ୱସ୍ତି ଫାଉଣ୍ଡେସନ ସହାୟତାରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଫାଉଣ୍ଡେସନର ସଭାପତି ଭକ୍ତ ବତ୍ସଳ ମହାନ୍ତି ଓ ସମ୍ପାଦକ ଡ଼ ମାନସ ପଣ୍ଡା ପରିଚାଳନା କରିଥିଲେ । ଜିଲ୍ଲା କାରାଗାରର ବୈଠକ ଗୃହରେ ଅନୁଷ୍ଠିତ ଶିବିରରେ ୧୬୪ ଜଣ ଅନ୍ତେବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ୧୦୯ ଜଣ ଅନ୍ତେବାସୀଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା ବେଳେ ୭ ଜଣଙ୍କୁ ମୋତିୟାବିନ୍ଦୁ ଚିକିତ୍ସା ପାଇଁ ଚିହ୍ନଟ କରାଯାଇଥିଲା । ଜିଲ୍ଲା କାରାଗାରର ସୁପରିଟେଣ୍ଡେଣ୍ଟ କୁଅଁର ମାରାଣ୍ଡି ଓ ଜେଲର ମନଶ୍ୱିନୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ଭୂମିକା ଚକ୍ଷୁ ଚିକିତ୍ସାଳୟର ଜେନେରାଲ ମ୍ୟାନେଜର କାର୍ଣ୍ଣାଟ କିଶୋର ଜେନା, ସକ୍ଷମ ରାଜ୍ୟ ସମ୍ପାଦକ ବୀରକିଶୋର ମହାନ୍ତ, ଜିଲ୍ଲା ସଭାପତି ସନ୍ତୋଷ ମହାପାତ୍ର, ମଧୁସୂଦନ ମହାନ୍ତ , ଅଭିମନ୍ୟୁ ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଯେ ସକ୍ଷମ ପକ୍ଷରୁ ହରିଚନ୍ଦନପୁର, ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି ।