Site icon ଆଜିକାଲି

ସମ୍ବଲପୁର ଶୀତଳଷଷ୍ଠୀ: ଶୁଭ ଲଗ୍ନରେ ପଡିଲା ଗଣ୍ଠି

ସମ୍ବଲପୁର: ବ୍ରାହ୍ମ ମୁହୂର୍ତ୍ତରେ ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି ପଡିଛି। ଦେବତା, ଦାନବ, କିନ୍ନର ଓ ଗନ୍ଧର୍ବଙ୍କ ଉପସ୍ଥିତିରେ ସାରା ସମ୍ବଲପୁର ଦେବଭୂମିରେ ପରିଣତ ହୋଇଯାଇଛି। ପବିତ୍ର ଶୀତଳଷଷ୍ଠୀ ଅବସରରେ ଆଜି ଭୋରରେ ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ମଧ୍ଯରେ ବିବାହ ସଂପନ୍ନ ହୋଇଛି। ଏହି ଅବସରରେ ଗତକାଲି ବର୍ଣ୍ଣାଢ୍ଯ ବରଯାତ୍ରୀ ଶୋଭାଯାତ୍ରାରେ ସାରା ସମ୍ବଲପୁର ଦୁଲୁକି ଉଠିଛି।

ପତରପେଣ୍ଡି ଓ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ନୀତି ପରେ ଗତକାଲି ଦିନବେଳା ସବୁ ଶିବ ମନ୍ଦିରରେ ପ୍ରଭୁଙ୍କ ରୁଦ୍ରାଭିଷେକ, ତୈଳାଭିଷେକ, ଗନ୍ଧଷଣ ନୀତି ସଂପନ୍ନ ହୋଇଥିଲା। ସେହିପରି ଗତବର୍ଷର କନ୍ୟା ପିତାମାତାଙ୍କ ଗଣ୍ଠାଳ ଫିଟା ନୀତି ପରେ ଏବର୍ଷର କନ୍ୟା ପିତାମାତା ମାଁ ପାର୍ବତୀଙ୍କୁ ନିଜ ଘରକୁ ପାଛୋଟି ନେଇଥିଲେ। ସେଠାରେ ମଧ୍ଯ ମାଁଙ୍କ ହରିଦ୍ରା ଲେପନ, ତୈଳାଭିଷେକ ସହ ହଳଦୀ ଖେଳ ଆଦି ନୀତି ଶେଷ ହୋଇଥିଲା। ଆଉ ରାତିରେ ଉଭୟ ଶିବ ପାର୍ବତୀ ବର କନ୍ୟା ବେଶରେ ବିଭିନ୍ନ ଅଳଙ୍କାର ଆଭୂଷଣରେ ସଜ୍ଜିତ ହୋଇଥିଲେ। ଦେବ ଦେବ ମହାଦେବ ବର ବେଶରେ ସୁସଜ୍ଜିତ ପରଭା ସମ୍ମୁଖରେ ବିରାଜମାନ କରି ବିରାଟ ଶୋଭାଯାତ୍ରାରେ କନ୍ଯା ଘର ଅଭିମୁଖେ ଯାଇଥିଲେ। ଏଥିରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ହଜାର ହଜାର କଳାକାର ସାମିଲ ହୋଇଥିବା ବେଳେ ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି। ଆଉ ଆଜି ଭୋରରେ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି। ଆଜି ଦିନତମାମ ଶ୍ୱଶୁରାଳୟରେ ଦେବଦମ୍ପତି ଆତିଥ୍ଯ ନେବା ପରେ ସନ୍ଧ୍ୟାରେ ମନ୍ଦିର ସମ୍ମୁଖକୁ ପ୍ରତ୍ୟାବର୍ତ୍ତନ କରିବେ। ଆଉ ବିଳମ୍ବିତ ରାତିରୁ ବାହାରିବ ଯୁଗଳ ଦର୍ଶନ ଶୋଭାଯାତ୍ରା। ଆସନ୍ତାକାଲି ସନ୍ଧ୍ୟା ଯାଏ ଏହି ଯାତ୍ରା ଚାଲିବା ପରେ ନବ ବିବାହିତ ଦେବ ଦମ୍ପତ୍ତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

Exit mobile version