Site icon ଆଜିକାଲି

ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ ମାମଲା : କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍


ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ କରିବା ନେଇ ଏକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏନେଇ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରମଣିଙ୍କୁ ଏହି ମାମଲାରେ କୋର୍ଟଙ୍କୁ ସହାୟତା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ହାଇଦ୍ରାବାଦର ଜଣେ ‘ସମଲିଙ୍ଗୀ ଦମ୍ପତି’ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କରୁଛି ।
ସ୍ୱତନ୍ତ୍ର ବିବାହ ଆଇନ ୧୯୫୪ ଅନୁଯାୟୀ ସମଲିଙ୍ଗୀ ବିବାହକୁ ମଧ୍ୟ ଆଇନଗତ ମାନ୍ୟତା ଦିଆଯିବା ଉଚିତ ବୋଲି ଆବେଦନକାରୀ ନିଜ ପିଟିସନରେ ଯୁକ୍ତି ଦର୍ଶାଇଛନ୍ତି। ଏହି ପିଟିସନ ଦାୟର କରିଥିବା ସୁପ୍ରିୟୋ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ହାଇଦ୍ରାବାଦରେ ରୁହନ୍ତି ଏବଂ ଗତ ୧୦ ବର୍ଷ ଧରି ଏକ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି। ଏହି ମାମଲାରେ ଉପଯୁକ୍ତ ଆଇନଗତ ଗାଇଡଲାଇନ୍ ଜାରି କରିବାକୁ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ।

ନିଜ ଆବେଦନରେ ଅଭୟ ଏବଂ ସୁପ୍ରିୟୋ କହିଛନ୍ତି ଯେ ଆନ୍ତଃ ଜାତି ଏବଂ ଆନ୍ତଃଧର୍ମ ବିବାହକୁ ଯେପରି ଆଇନଗତ ମାନ୍ୟତା ଏବଂ ସୁରକ୍ଷା ଦିଆଯାଇଛି, ସମଲିଙ୍ଗୀ ବିବାହକୁ ମଧ୍ୟ ସେପରି ମାନ୍ୟତା ଦିଆଯିବା ଉଚିତ।ଏହାପୂର୍ବରୁ ନବତେଜ ସିଂ ଜୋହର ଏବଂ ପୁଟାସ୍ୱାମୀଙ୍କ ମାମଲାରେ ସୁପ୍ରିମକୋର୍ଟ LGBTQ + ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟ ନାଗରିକଙ୍କ ପରି ସମାନତା, ସମ୍ମାନ ଏବଂ ଗୋପନୀୟତା ବଜାୟ ରଖିବା ପାଇଁ ସାମ୍ବିଧାନିକ ଅଧିକାର ପ୍ରଦାନ କରିଥିଲେ ।

Exit mobile version