Site icon ଆଜିକାଲି

ବିଜେପିରେ ମିଶିଲେ ସମୀର ରଞ୍ଜନ ଦାଶ, ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି

ଭୁବନେଶ୍ୱର : ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଉ ସପ୍ତାହରେ କମ୍‌ ସମୟ ରହିଛି। ରାଜନୀତିର ଏହି ସନ୍ଧିକ୍ଷଣ ଭିତରେ ରୋଚକ ମୋଡରେ ନିମାପଡ଼ା ରାଜନୀତି। ଶାସକ ବିଜୁ ଜନତା ଦଳକୁ ବଡ଼ ଝଟକା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ନିମାପଡ଼ା ଭାଇନା ସମୀର ରଞ୍ଜନ ଦାଶ। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ସମୀରଙ୍କ ସହିତ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।

ଆଜି ସକାଳେ ବିଜେଡି ଛାଡିଥିଲେ ସମୀର ଦାଶ। ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଦେଇଥିଲେ ଇସ୍ତଫା ପତ୍ର। ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇଥିଲେ ସମୀର ଦାଶ। ସମୀର କହିଥିଲେ, ୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛନ୍ତି । ତଥାପି ଦଳ ତାଙ୍କ ଉପରେ ଭରସା କଲାନି। ତାଙ୍କ ଉପରୁ ଦଳ ଆସ୍ଥା ହରାଇଥିବାରୁ ଆଉ ଦଳରେ ରହିବାକୁ ସେ ସମୀଚିନ ମନେ କରୁନାହାଁନ୍ତି ବରଂ ଦଳ ଛାଡିବାକୁ ଉଚିତ ମନେ କରିଛନ୍ତି। ଏହାସହ ସେ ନିଜେ ମଧ୍ୟ ନିମାପଡା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି।

ବିଜେପିରେ ସାମିଲ୍ ହେବା ପରେ ସମୀର ଦାଶ କହିଛନ୍ତି, ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି। ନେତୃତ୍ୱଙ୍କ ଭରସା ନ ରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବ ନୁହେଁ। ମୋଦିଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। ମୋଦି ଆତ୍ମବିଶ୍ୱାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି। ମୋଦି କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି। ମୋତେ ଦଳ ଯେଉଁ ଦାୟିତ୍ୱ ଦେବ ନିଷ୍ଠାର ସହ ତୁଲାଇବି। ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଯେଉଁ ଦାୟିତ୍ୱ ମିଳିବ ତୁଲାଇବି।

ସୂଚନାଥାଉକି, ସମୀର ରଞ୍ଜନ ଦାଶ ଲଗାତାର ଭାବେ ନିମାପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଟିକଟ ମିଳିବ ବୋଲି ଭାବିଥିଲେ ଶ୍ରୀ ଦାଶ। ହେଲେ ବିଜେଡି ସୁପ୍ରିମୋ ତାଙ୍କୁ ଚକ୍‌ମା ଦେଇ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ସମୀର ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ନିଜର ସମର୍ଥକଙ୍କୁ ଧରି ଏକ ବିରାଟ ସମାବେଶ କରିଥିଲେ। ଯେଉଁ ୩୦ ହଜାରୁ ଅଧିକ ଲୋକ ସାମିଲ୍‌ ହୋଇଥିଲେ।

ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଟି ଟର୍ମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କର ଟିକେଟ କାଟି ଦେଇଛି।

Exit mobile version