Site icon ଆଜିକାଲି

ବ୍ରିଜ ଭୂଷଣଙ୍କ ଅନୁଗତ ସଞ୍ଜୟ ସିଂହ ହେଲେ କୁସ୍ତି ସଂଘ ସଭାପତି, ପ୍ରତିବାଦରେ ଅବସର ଘୋଷଣା କଲେ ସାକ୍ଷୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ନିର୍ବାଚନରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅନୁଗତ ସଞ୍ଜୟ ସିଂହ ବିଜୟକୁ ବିରୋଧ‌ କରି‌ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାକ୍ଷୀ ମଲିକ କାନ୍ଦି କାନ୍ଦି କୁସ୍ତିରୁ ଅବସର ନେଇଛନ୍ତି। ଗୁରୁବାର ଅନୁଷ୍ଠିତ ନିର୍ବାଚନରେ ଡବ୍ଲୁଏଫ୍ଆଇର ପୂର୍ବତନ ସଭାପତି ବ୍ରିଜ ଭୂଷଣଙ୍କ ପାଖଲୋକ କୁହାଯାଉଥିବା ସଞ୍ଜୟ ଡବ୍ଲୁଏଫ୍ଆଇ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଜ ଭୂଷଣଙ୍କ ଗୋଷ୍ଠୀ ୧୫ଟି ପଦ ମଧ୍ୟରୁ ୧୩ଟି ଜିତିଥିଲା।

ଡବ୍ଲୁଏଫ୍ଆଇ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସାକ୍ଷୀ ଏକ ସାମ୍ୱାଦିକ ସମ୍ମିଳନୀରେ ତାଙ୍କ ଜୋତା ଟେବୁଲ ଉପରେ ରଖି ନାଟକୀୟ ଢଙ୍ଗରେ କୁସ୍ତିରୁ ଅବସର ଘୋଷଣା କରିଥିଲେ। ସାକ୍ଷୀ ଲୁହ ଛଳଛଳ ଆଖିରେ କହିଥିଲେ, “ଆମେ ହୃଦୟରୁ ସଂଗ୍ରାମ କରିଥିଲୁ, କିନ୍ତୁ ଯେତେବେଳେ ବ୍ରିଜ ଭୂଷଣଙ୍କ ପରି ଜଣେ ବ୍ୟକ୍ତି, ତାଙ୍କର ବ୍ୟବସାୟିକ ସହଯୋଗୀ ତଥା ଘନିଷ୍ଠ ସହଯୋଗୀ ଡବ୍ଲୁଏଫ୍ଆଇର ସଭାପତି ଭାବେ ମନୋନୀତ ହୋଇଛନ୍ତି, ମୁଁ କୁସ୍ତି ଛାଡୁଛି।”

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ସାକ୍ଷୀ କହିଛନ୍ତି, “ଆମେ ଜଣେ ମହିଳା ସଭାପତି ଚାହୁଁଥିଲୁ କିନ୍ତୁ ତାହା ହୋଇ ନାହିଁ। ବ୍ରିଜ ଭୂଷଣଙ୍କ ସହଯୋଗୀ ଓ ସମ୍ପର୍କୀୟମାନଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରିବାକୁ ଡବ୍ଲୁଏଫ୍ଆଇ ନିର୍ବାଚନ ପୂର୍ବରୁ ଅଲିମ୍ପିକ୍ ପଦକ ବିଜେତା କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ଅନେକ ଥର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଅନୁରୋଧ କରିଥିଲେ । ଫଳସ୍ୱରୂପ, ବ୍ରିଜଭୂଷଣଙ୍କ ପୁଅ ପ୍ରତୀକ ଏବଂ ତାଙ୍କ ପୁତୁରା ବିଶାଲ ସିଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ। ନିର୍ବାଚନ ପରେ ବଜରଙ୍ଗ ଏବଂ ବିନେଶ ଫୋଗାଟ ଗଣମାଧ୍ୟମ ସହ କଥା ହୋଇଥିଲେ ମଧ୍ୟ ଖେଳରୁ ଅବସର ନେବେ ବୋଲି କହି ନାହାଁନ୍ତି।

ବଜରଙ୍ଗ କହିଛନ୍ତି, ବ୍ରିଜ ଭୂଷଣଙ୍କ କେହି ଅନୁଗତ ଡବ୍ଲୁଏଫ୍ଆଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସରକାର ନିଜ କଥା ନ ରଖିବା ଦୁର୍ଭାଗ୍ୟଜନକ |”

ବିନେଶ କହିଛନ୍ତି, “ଏବେ ଉଦୀୟମାନ ମହିଳା କୁସ୍ତିଯୋଦ୍ଧାମାନେ ମଧ୍ୟ ଶୋଷଣର ସମ୍ମୁଖୀନ ହେବେ।”

ଉଲ୍ଲେଖଯୋଗ୍ୟ, ବିଜେପି ସାଂସଦ ତଥା ଡବ୍ଲୁଏଫ୍ଆଇର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ସାକ୍ଷୀଙ୍କ ସହ ଦେଶର ଅନେକ ଷ୍ଟାର କୁସ୍ତି ଖେଳାଳି ଦିଲ୍ଲୀର ଜନ୍ତର ମନ୍ତରଠାରେ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ‌।

Exit mobile version