Site icon ଆଜିକାଲି

ନକଲି ବ୍ରାଣ୍ଡର ଟିଭି ଜବତ, ୨ଗିରଫ

ବରଗଡ଼ : ବରଗଡ଼ ସହରରୁ ନକଲି ବ୍ରାଣ୍ଡେଡ୍ ଟିଭି ସହ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି । ଅଭିଯୁକ୍ତ ଦ୍ଵୟ ଏମ୍‌ଡି ନସିବ ଓରଫ୍ ନସିମ୍ ଓ ଏମ୍‌ଡି ଇମ୍ରାନ୍ ଉଭୟ ଉତ୍ତରପ୍ରଦେଶ ଗାଜିଆବାଦର ଲୋହାନୀର ବାସିନ୍ଦା ଅଟନ୍ତି । ସେମାନେ କମ୍ ଦରରେ ଘରଘର ବୁଲି ଟିଭି ବିକ୍ରି କରୁଥିଲେ ।

ଟାଉନ୍ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଘରୋଇ ବସଷ୍ଟାଣ୍ଡ ନିକଟରେ ଟିଭି ବିକ୍ରି କରୁଥିବା ସମୟରେ ପୁଲିସ ଦୁଇଜଣଙ୍କୁ ଘେରିଥିଲା । ସେମାନେ ସୋନି ବ୍ରାଭିଆ ଟିଭି ରାସ୍ତା ଉପରେ କମ୍ ଦରରେ ବିକ୍ରି କରୁଥିବାରୁ ପୁଲିସ୍‌ର ସନ୍ଦେହ ଜାତ ହୋଇଥିଲା । ସୋ ’ ରୁମ୍‌ରେ ଏହି ବ୍ରାଣ୍ଡର ଟିଭି ୫୦ ହଜାର ପାଖାପାଖି ହୋଇଥିବା ବେଳେ ଅଭିଯୁକ୍ତମାନେ ଏହାକୁ ୧୦ରୁ ୧୨ ହଜାର ଟଙ୍କାରେ ଖୁଲମ୍‌ଖୁଲା ବିକୁଥିଲେ | ପୁଲିସ୍ ଟିଭି ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ୍ କରିଥିଲା । ସେମାନଙ୍କଠାରୁ ସୋନି ଟିଭିର ନକଲି ଷ୍ଟିକର ମିଳିଥିଲା । ଆହୁରି ତନାଘନା ପରେ ନକଲି ଟିଭି ଯନ୍ତ୍ରାଂଶକୁ ଯୋଡ଼ି ଷ୍ଟିକର୍ ମାରି ସେମାନେ ବିକ୍ରି କରୁଥିବା ଜଣାପଡ଼ିଥିଲା | ଦୋଷ ମାନିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଂଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Exit mobile version