Site icon ଆଜିକାଲି

ଲାଞ୍ଚ ନେଇ ଫସିଲେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି

କେନ୍ଦୁଝର : ଭିଜିଲାନ୍ସ ହାତରେ ଧରାପଡିଲେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି। ଛୁଟି ବିଲ୍ ପାସ୍ କରାଇଦେବା ପାଇଁ ଜଣେ ଅଧିକାରୀ ଶୁଭାଶିଷ ମହାପାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା କିରାଣି ମହେନ୍ଦ୍ର ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ବିଲ୍‌ ପାସ୍‌ ନ ହେବାରୁ ଅଧିକାରୀ ଜଣକ କିରାଣିଙ୍କୁ ତାଙ୍କ ଦାବି ମୁତାବକ ଟଙ୍କା ଦେଇଥିବା ବେଳେ ଏହାର ସୂଚନା ସେ ଭିଜିଲାନ୍ସକୁ ଦେଇଥିଲେ।

ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ର ୨୦୨୨ ଜାନୁଆରୀ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ। ଏହି ସମୟର ଦରମା ସେ ଏପର୍ଯ୍ୟନ୍ତ ପାଇ ପାରି ନାହାନ୍ତି। ଏହାର ବିଲ୍‌ ପାସ୍‌ କରାଇ ଦେବାକୁ ସେ ବରିଷ୍ଠ କିରାଣି ମହେନ୍ଦ୍ର ସେଠୀଙ୍କୁ କହିଥିଲେ। ହେଲେ ୧୦ ହଜାର ଦେଲେ ବିଲ୍‌ ପାସ୍‌ କରିବେ ବୋଲି କିରାଣି ଜଣକ ଡାକ୍ତର ବାବୁଙ୍କୁ ଶୁଣାଇଥିଲେ। ଏହାପରେ ତାଙ୍କୁ ଭିଜିଲାନ୍ସ ଜାଲରେ ଛନ୍ଦିବାକୁ ଲାଞ୍ଚ ଦେବା ପୂର୍ବରୁ ଭିଜିଲାନ୍ସକୁ ସୂଚନା ଦେଇଥିଲେ ଡ଼ ଶୁଭାଶିଷ ମହାପାତ୍ର ।

ପୂର୍ବା ନିର୍ଦ୍ଧାରିତ ସୂଚନା ଅନୁଯାୟୀ, କିରାଣି ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଦେଇଥିଲେ ଡାକ୍ତର ଶୁଭାଶିଷ ମହାପାତ୍ର । ଏହି ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍‌ କାର୍ଯ୍ୟାଳୟରେ ପଶି ଟଙ୍କା ସହ ତାଙ୍କୁ ମାଡ଼ି ବସିଥିଲା। ଲାଞ୍ଚ ମାଗିବା ଅଭିଯୋଗରେ ସମ୍ପୃକ୍ତ କିରାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍‌ ତାଙ୍କର ଚମ୍ପୁଆ ସରକାରୀ କାର୍ଯ୍ୟାଳୟ, ବାସଭବନ ସମେତ ଯାଜପୁର ଜିଲ୍ଲାସ୍ଥିତ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରିଛି।

Exit mobile version