Site icon ଆଜିକାଲି

ରାସ୍ତା ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

କରଞ୍ଜିଆ : ରାସ୍ତା ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ପ୍ରଶାସନ ଓ ଶିମିଳିପାଳର ୩ ଗ୍ରାମ ପଞ୍ଚାୟତର ଅଧିବାସୀଙ୍କ ସହ ବସିଥିବା ବୈଠକରେ ବାହାରିଲାନି ସମାଧାନର ନିଷ୍କର୍ସ । ବିଧାନସଭାରେ ଯଶୀପୁର ବିଧାୟକଙ୍କ ପଚାରି ଥିବା ପ୍ରଶ୍ନର ଉତ୍ତରରେ ୪୪.୫ ଲକ୍ଷ ଟଙ୍କା ୬୪.୫ କିମି ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଦର୍ଶାଇଛନ୍ତି ।

ସୂଚନା ଥାଉକି, ବନ୍ଦ୍ ହୋଇ ପଡ଼ିଛି ଶିମିଳିପାଳ ଅଭୟାରଣ୍ୟ । ଆଜିକୁ ଶିମିଳିପାଳ ଅଭୟାରଣ୍ୟ ୨୧ ଦିନ ବନ୍ଦ୍ ହୋଇ ପଡ଼ିଥିଲେ ମଧ୍ୟ ଶିମିଳିପାଳ କର୍ତ୍ତୃପକ୍ଷ ନିଘୋଡ଼ ନିଦ୍ରାରେ । ଗତ ନଭେମ୍ବର ୨୫ ତାରିଖରୁ ଶିମିଳିପାଳ ବିକାଶ ପରିଷଦ ୫ ଦଫା ଦାବିରେ ଶିମିଳିପାଳ ଅଭୟାରଣ୍ୟର ମୂଖ୍ୟ ରାସ୍ତା ଗୁଡ଼ିକୁ ଅବରୋଧ କରିଥିଲା ।

ତେଣୁ ଗତ ଡିସେମ୍ବର ୧ ତାରିଖରେ ଶିମିଳିପାଳର ବରେହିପାଣି ଠାରେ ୩ ଟି ଗ୍ରାମ ପଞ୍ଚାୟତର ୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ନେଇ ବୁଝାମଣା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ହେଲେ ସେହି ବୈଠକରେ ଶିମିଳିପାଳ କତୃପକ୍ଷ ଦେଇଥିବା ପ୍ରତିଶୃତି ପୂରଣ ନକରିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ପୁଣି ରାସ୍ତା ଅବରୋଧକୁ ନିୟମିତ ରଖିଥିଲେ । ତେଣୁ ଯଶୀପୁର ବ୍ଳକ୍ ସଭା ଗୃହରେ ପ୍ରଶାସନ ଓ ଶିମିଳିପାଳ ଅଧିବାସୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା,ହେଲେ ଲୋକେ ତାଙ୍କ ଜିଦ୍ ରେ ଅଟଳ ରହି ଦେଇଥିବା ପ୍ରତିଶୃତି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବନି ବୋଲି ଚେତାବନୀ ଦେଇଥିଲେ, ସେପଟେ ଯଶୀପୁର ବିଧାୟକ ବିଧାନସଭା ପ୍ରଶ୍ନ କାଳରେ ପଚାରିଥିବା ପ୍ରଶ୍ନ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଆହୁରି ହରଡ଼ଘଣାରେ ପକାଇଛି ।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରାସ୍ତାର ଉନ୍ନତିକରଣ ଓ ରକ୍ଷଣା ବେକ୍ଷଣ ପାଇଁ ୨୦୨୩/୨୪ ର ଆର୍ଥିକ ଅନୁଦାନକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଆର୍ଥିକ ବର୍ଷରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ୬୪.୫ କିମି ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୪୪.୫ ଲକ୍ଷ ଖର୍ଚ୍ଚ କରାଯାଇଛି ବୋଲି ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କ ଠାରୁ ଉତ୍ତର ମିଳିଥିଲା । ଏହା ପରେ ଶିମିଳିପାଳ କର୍ତ୍ତୃପକ୍ଷ ଶିମିଳିପାଳ ଅଧିବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି , ତେବେ ଏ ନେଇ ପ୍ରଶାସନ କିମ୍ବା ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ,ତେଣୁ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖାଦେଇଛି ।

Exit mobile version