Site icon ଆଜିକାଲି

ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଭିଏଲ-ଏସଆରଏସଏଏମର ପରୀକ୍ଷା ସଫଳ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର୍ କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚପ୍ୟାଡ୍‌ରୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଭିଏଲ ଏସ୍‌ଆର୍‌ଏସ୍‌ଏଏମ୍ (ଭର୍ଟିକାଲ ଲଞ୍ଚ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା । ଭର୍ଟିକାଲ ଲଞ୍ଚରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା, ଯାହା ଆକାଶରେ ଦ୍ରୁତଗତିରେ ଯାଉଥିବା ଟାର୍ଗେଟକୁ ଠିକ୍ ଭାବେ ପିଛା କରି ଲକ୍ଷ୍ୟଭେଦ କରିଥିଲା । ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିକାଶ ବିଭାଗର ଅଧ୍ୟକ୍ଷ ଡ. ସମୀର ଭି କମାଟ ପରୀକ୍ଷଣରେ ନିୟୋଜିତ ଡିଆର୍‌ଡିଓ ଓ ନୌବାହିନୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସ୍ୱଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି । କ୍ଷେପଣାସ୍ତ୍ରଟି ଶତ୍ରୁପକ୍ଷରୁ ଯୁଦ୍ଧ ବିମାନ, ଡ୍ରୋନ୍‌କୁ ଧ୍ୱଂସ କରିବାର କ୍ଷମତା ରଖିଛି । ଏଥିରେ ରକେଟ୍ ମୋଟର ସହ ଫ୍ଲାଇଟ୍ କଣ୍ଟ୍ରୋଲ ସିଷ୍ଟମକୁ ବ୍ୟବହାର କରାଯାଇଛି । ଏହି ମିଶାଇଲ ୮୦ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରିପାରିବ । ଏହାର ଲମ୍ବ ୩.୯୩ମିଟର ଏବଂ ଓଜନ ୧୭୦କିଲୋଗ୍ରାମ୍ ।

ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୩ନମ୍ବର ଲଞ୍ଚପ୍ୟାଡ୍‌ର ଅଢ଼େଇ କିଲୋମିଟର ପରିଧି ଅଞ୍ଚଳର ଜୟଦେବ କସବା ପାହି ଓ ସାହାଜନଗର ପାହିରୁ ୧୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରା ପାହିରୁ ୮୯୫ ଜଣ, ଖଡୁପାହି ଓ କୁସୁମୁଳୀରୁ ୧୧୧୨ ଜଣ ସମୁଦାୟ ୩୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ସ୍ଥାନାନ୍ତରିତ ପାଇଁ ୧୦୦ରୁ ଉର୍ଦ୍ଧ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ ଥିଲେ । ସେହିଭଳି ପୋଲିସ ପ୍ରଶାସନ ପକ୍ଷରୁ ୧୫ ସେକ୍ସନ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଯେ, ଗୁରୁବାର ଅପରାହ୍ନ ୩ଟା୧୯ରେ ଆଇଟିଆର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚପ୍ୟାଡ୍‌ରୁ ଉକ୍ତ ମିସାଇଲର ପରୀକ୍ଷଣ ହୋଇଥିଲା । ଏଥିନିମନ୍ତେ କ୍ଷେପଣାସ୍ତ୍ର ଘାଟି ନିକଟବର୍ତ୍ତୀ ସମସ୍ତ ୬ଟି ଗାଁର ୩୧ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସନ୍ଧ୍ୟା ପରେ ସେମାନେ ଘରକୁ ଫେରି ଯାଇଥିବା ବେଳେ ଶୁକ୍ରବାର ସକାଳେ ପୁଣି ଥରେ ପ୍ରଶାସନ ପକ୍ଷରୁ ତାଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା ।

Exit mobile version