Site icon ଆଜିକାଲି

ଶ୍ରୀ ଜଗନ୍ନାଥଙ୍କୁ ସପ୍ତପୁରୀ ଭୋଗ ଲାଗି

ପୁରୀ : ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ । ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ୱତନ୍ତ୍ର ନୀତି ନିୟମ ଶ୍ରୀମନ୍ଦିରରେ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଶ୍ରୀ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗି ହୋଇଛି । ଶ୍ରୀଜୀଉଙ୍କର ଏହି ଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଛି । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ସାତପୁରୀ ପିଠାର ଭୋଗ ଲାଗି ହୋଇଛି ।

ସପ୍ତପୁରୀ ଅମାବାସ୍ୟା ପୂର୍ବଦିନ ଅଠରନଳା ନିକଟରେ ଅବସ୍ଥିତ ଭଗବତୀ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ ଶ୍ରୀମନ୍ଦିରରେ ପହଁଚି ଚତୁଃପାଶ୍ୱର୍ ବୁଲି ତାଡ ଗୁଡିକ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂନ୍ଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷୀଣକାଳି ମନ୍ଦିରକୁ ଯାଇଥିଲେ । ଆଜି ସପ୍ତପୁରୀ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ତିନି ବାଡ଼ରେ ବେଶ ହୋଇଥିଲା । ତଢ଼ାଉ ୬ ମୂର୍ତି ଲାଗି ହେବା ପରେ ଗୋପାଳ ବଲ୍ଲଭ ସମ୍ପନ୍ନ ହୋଇଥିଲା । ଏହା ପୂର୍ବରୁ ରୋଷ ଘରେ ସପ୍ତପୁରୀ ପ୍ରସ୍ତୁତ ହୋଇ ଭୋଗ ଉପରେ ଶଙ୍ଖ, ଚକ୍ର, ହଳ, ମୂସଳ, ଦଡକୀ ପିଠା ଉପରେ ପ୍ରସ୍ତୁତ ହୋଇଥିଲା । ତତ୍ପରେ ପାଣି ପଡ଼ି ଟେରା ବନ୍ଧା ହୋଇ ସକାଳ ଧୂପ ସହ ସାତପୁରୀ ଭୋଗ ତାଟ ମଧ୍ୟ ରୋଷରୁ ଘଂଟ, ଛତ୍ର, କାହାଳୀ ସହ ତଳିଛ, ପ୍ରଧାନୀ ପଟୁଆରରେ ଛାମୁକୁ ଆସିଥିଲା । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରାଇଥିଲେ । ଭିତରେ ଆଳତୀ ବଢ଼ିବା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିଥିଲେ । ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ଆଜି ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରଛନ୍ତି ।

Exit mobile version