Site icon ଆଜିକାଲି

କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡାନ୍ତ, ଦିନ ୧୨ଟା ସୁଦ୍ଧା ମିଳିବ ମହାପ୍ରସାଦ

ପୁରୀ : ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସୋମବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଦିନ ୧୨ଟା ସୁଦ୍ଧା ମହାପ୍ରଭୁଙ୍କ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବ। ହବିଷ୍ୟାଳିିଙ୍କ ସମେତ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରରେ ମହାପ୍ରସାଦ ପାଇପାରିବେ। ଚଳିତ ମାସ ୨୫ରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହେବ।

ହଜାର ହଜାର ଶ୍ରଦ୍ଧାଳୁ ପୁରୀରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ। ପଞ୍ଚୁକ ପାଞ୍ଚଦିନ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ତେଣୁ ଭୋର୍‌ ୪ଟାରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ସକାଳ ୫ଟାରେ ଶ୍ରୀଜୀଉଙ୍କୁ ମଙ୍ଗଳ ଆଳତି କରାଯିବ। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ମହାପ୍ରଭୁଙ୍କୁ ରାଧା ଦାମୋଦର ବେଶ କରାଯିବ। ସକାଳ ୮ଟାରେ ଗୋପାଳ ବଲ୍ଲଭ ଭୋଗ, ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ସକାଳଧୂପ (କେବଳ କୋଠଭୋଗ), ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଭୋଗ ଏବଂ ଦିନ ୧୨ଟା ସୁଦ୍ଧା ଭୋଗ ମଣ୍ଡପ ଶେଷ ହେବ। ସେହିପରି ଦିନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ, ଦିନ ୧ଟା ୧୦ରୁ ୨ଟା ୩୦ ମଧ୍ୟରେ ଦ୍ୱିତୀୟ ଭୋଗ ମଣ୍ଡପ ଏବଂ ଦିନ ୨ଟାରେ ଦକ୍ଷିଣିଘର ଭୋଗ କରାଯାଇ ମହାପ୍ରଭୁଙ୍କୁ ବେଶ କରାଯିବ। ଅପରାହ୍ଣ ୩ଟା ୩୦ରେ ଶ୍ରୀଜୀଉଙ୍କୁ ଦିବା ପହୁଡ଼ କରାଯାଇ ଅପରାହ୍ଣ ୫ଟା ୩୦ରେ ଦ୍ୱାର ଫିଟାଯିବ। ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି, ୬ଟା ୫ରୁ ୬ଟା ୫୦ ମଧ୍ୟରେ ମଇଲମ ଓ ବେଶ, ରାତି ୭ଟା ୨୦ରୁ ୯ଟା ମଧ୍ୟରେ ସନ୍ଧ୍ୟାଧୂପ, ରାତି ୧୦ଟାରେ ଚନ୍ଦନଲାଗି, ରାତି ୧୧ଟାରେ ବଡ଼ସିଂହାର ବେଶ, ରାତି ୧୧ଟା ୩୦ରେ ବଡ଼ସିଂହାର ଭୋଗ ଏବଂ ରାତି ୧୨ଟାରେ ମହାପ୍ରଭୁଙ୍କୁ ପହୁଡ଼ କରାଯିବ।

ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଛତିଶା ନିଯୋଗର ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ କହିଲେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ନାଟମଣ୍ଡପ ଓ ଜଗମୋହନରେ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ । ସେଠାରେ ଛିଡ଼ାହୋଇ ରହିବା ପାଇଁ କାହାରିକୁ ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

Exit mobile version