Site icon ଆଜିକାଲି

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌, ତଦନ୍ତ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ । ଫଳରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। ଆକାଶ ଚୌଧୁରୀ ନାମକ ଜଣେ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି। ଗର୍ଭଗୃହର ଫଟୋ ସହିତ ଦର୍ଶନ ପାଇଁ ଯାଉଥିବା ବେଳର ଭିଡିଓ ନିଜ ଫେସବୁକ୍ ପେଜରେ ଅପଲୋଡ କରିଛନ୍ତି ଆକାଶ । ଗୁପ୍ତ କ୍ୟାମେରା କିମ୍ବା ମୋବାଇଲରେ ଭିଡିଓ ସୁଟିଂ କରାଯାଇଥିବା ଅନୁମାନ କରାଯାଉଛି । ଆକାଶ ଚୌଧୁରୀଙ୍କ ଫେସବୁକ୍ ପେଜ୍ ବଙ୍ଗଳା ଭାଷାରେ ଲେଖାଯାଇଛି । ତେଣୁ ସେ ପଶ୍ଚିମବଙ୍ଗ ନିବାସୀ ବୋଲି ସନ୍ଦେହ କରାଯାଉଛି ।

ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ଜଣାପଡ଼ିଛି। ପୂର୍ବରୁ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଭାଇରାଲ ହୋଇଥିଲା । ତେବେ ଗର୍ଭଗୃହ ମଧ୍ୟରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଅପଲୋଡ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ । ତେବେ ଏତେ କଟକଣା, ସିସିଟିଭି କ୍ୟାମେରା ଓ ଯାଞ୍ଚ ପରେ ବି କିପରି ଜଣେ ଫଟୋ ଉଠାଇଲା, ଭିଡିଓ ସୁଟିଂ କରିପାରିଲା, ଏ ନେଇ ପ୍ରଶ୍ନ ଉଠିଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ସିଂହଦ୍ବାର ଥାନାରେ ଏତଲା ଦେଇପାରେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣା ପ୍ରଘଟ ହେବା ପରେ ଆକାଶ ନିଜ ଫେସବୁକ୍‌ ଆକାଉଣ୍ଟ ବ୍ଲକ୍‌ କରି ଦେଇଥିବା ଜଣାପଡ଼ିଛି। ଆକାଶଙ୍କ ୟୁ-ଟ୍ୟୁବ ଚ୍ୟାନେଲ୍‌ରୁ ସେ ବାଲାଂଦେଶର ସିଲେଟ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ସିଲେଟ୍‌ସ୍ଥିତ ନିମ୍ବାକ ଗୀତା ଶିକ୍ଷା କେନ୍ଦ୍ରରେ ଅଧ୍ୟୟନ କରୁଥିବା ନିଜ ଫେସବୁକ ଓ ୟୁ-ଟ୍ୟୁବରେ ଉଲ୍ଲେଖ କରିଛନ୍ତି।

Exit mobile version