Site icon ଆଜିକାଲି

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟାଙ୍କ ଦ୍ୱିତୀୟ ପାଳି ଆରମ୍ଭ, ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସହ ୮ ମନ୍ତ୍ରୀ ନେଲେ ଶପଥ

ବେଙ୍ଗାଲୁରୁ: କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ଶନିବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଦ୍ୱିତୀୟ ଥର ପାଇଁ ଏହି ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ଡିକେ ଶିବକୁମାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟାଙ୍କ ସହ ଶପଥ ନେଇଛନ୍ତି ।

ଅନ୍ୟପକ୍ଷରେ ପୂର୍ବତନ ରାଜ୍ୟ କଂଗ୍ରେସ କମିଟି ସଭାପତି ଜି.ପରମେଶ୍ୱର, ଏମବି ପାଟିଲ, ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ, ବରିଷ୍ଠ ନେତା କେ.ଏଚ୍.ମୁନିୟପ୍ପା, କେ.ଜେ.ଜର୍ଜ, ସତିଶ ଜାର୍କିହୋଲି, ରାମଲିଙ୍ଗା ରେଡି ଓ ବିଜେଡ୍ ଜମିର ଅହମ୍ମଦ ଖାନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସ୍ଥାନୀୟ ଶ୍ରୀ କାନ୍ତୀରବା ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ସିଦ୍ଧରମୈୟା, ଶିବକୁମାର ଏବଂ ଅନ୍ୟ ନେତାମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ବିରୋଧୀ ଦଳର ବହୁ ବିଶିଷ୍ଟ ନେତାଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ବିରୋଧୀ ଏକତାର ବାର୍ତ୍ତା ଦେବାକୁ ଉଦ୍ୟମ କରିଥିଲା ।

ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ନ୍ୟାସନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ) ନେତ୍ରୀ ମେହବୁବା ମୁଫତି ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ସରକାର ଗଠନରେ ସାମାଜିକ ସମୀକରଣ ଆଣିବାକୁ କଂଗ୍ରେସ ଚେଷ୍ଟା କରିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କୁରୁବା ସମ୍ପ୍ରଦାୟର ଏବଂ ଉପମୁଖ୍ୟମନ୍ତ୍ରୀ ଶିବକୁମାର ଭୋକାଲିଗା ସମ୍ପ୍ରଦାୟର ଅଟନ୍ତି।

ପରମେଶ୍ୱର, ମୁନିୟାପ୍ପା ଏବଂ ପ୍ରିୟଙ୍କ ଦଲିତ ସମ୍ପ୍ରଦାୟର ହୋଇଥିବାବେଳେ ଏମବି ପାଟିଲ ଲିଙ୍ଗାୟତ ସମ୍ପ୍ରଦାୟର ଅଟନ୍ତି। ଖାନ ମୁସଲମାନ ସମ୍ପ୍ରଦାୟର ଏବଂ ଜର୍ଜ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଟନ୍ତି। ଜାର୍କିହୋଲି ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହୋଇଥିବାବେଳେ ରାମାଲିଙ୍ଗା ରେଡ୍ଡୀ ରେଡ୍ଡୀ ଜାତିର ଅଟନ୍ତି |

କର୍ଣ୍ଣାଟକ କ୍ୟାବିନେଟରେ ମନ୍ତ୍ରୀଙ୍କ ଅନୁମୋଦିତ କ୍ଷମତା ହେଉଛି ୩୪। ବର୍ତ୍ତମାନ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୧୦ ଜଣ ସଦସ୍ୟ ଶପଥ ନେଇଛନ୍ତି । ଆଗାମୀ ଦିନରେ କ୍ୟାବିନେଟ୍ ସମ୍ପ୍ରସାରଣ କରାଯିବ ବୋଲି ମନେ କରାଯାଉଛି।

ସିଦ୍ଧରମୈୟା ପୂର୍ବରୁ ମେ ୨୦୧୩ ରୁ ମେ ୨୦୧୮ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଏକଦା ଜନତା ଦଳ ଏବଂ ଜେଡିଏସର ଅଂଶ ଥିବା ସିଦ୍ଧରମୈୟା ଦୁଇଥର ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ଗତ ବିଧାନସଭାରେ ସେ ବିରୋଧୀ ଦଳ ନେତା ଥିଲେ।

ଅନ୍ୟପକ୍ଷରେ କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ ଭାବେ ବିବେଚିତ ଶିବକୁମାର ଗତ ତିନି ବର୍ଷ ଧରି ରାଜ୍ୟ କଂଗ୍ରେସ କମିଟିର ସଭାପତିଙ୍କ ଦାୟିତ୍ବ ତୁଲାଉଛନ୍ତି। ସେ ବିଗତ କିଛି କଂଗ୍ରେସ ସରକାରରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରହିଛନ୍ତି।

ଗୁରୁବାର କଂଗ୍ରେସ ବିଧାୟକ ଦଳ ବୈଠକରେ ସିଦ୍ଧରମୈୟା ଆନୁଷ୍ଠାନିକ ଭାବେ ନେତା ନିର୍ବାଚିତ ହୋଇଥିଲେ ଏବଂ ଏହା ପରେ ସେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି କରିଥିଲେ।

୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ମେ ୧୦ରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୧୩୫ଟି ଆସନ ଜିତିଥିବାବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡାଙ୍କ ନେତୃତ୍ୱାଧୀନ ଜେଡିଏସ୍ ଯଥାକ୍ରମେ ୬୬ ଓ ୧୯ଟି ଆସନ ଜିତିଥିଲେ।

Exit mobile version