Site icon ଆଜିକାଲି

‘କଳାଭୂମି’ ଓ ଆଇ.ଆଇ.ଟି.ଟି.ଏମ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘କଳାଭୂମି’-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜ୍‌ମେଣ୍ଟ ମଧ୍ୟରେ ‘କଳାଭୂମି’ଠାରେ ସେପେଫମ୍ବର ୯ ତାରିଖ ଦିନ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଏହା ଦ୍ୱାରା ‘କଳାଭୂମି’ଠାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଇଣ୍ଟର୍ନସିପ୍ ଓ ଭଲ୍ୟୁଣ୍ଟିୟର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ । ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଛାତ୍ରଛାତ୍ରୀମାନଙ୍କୁ ଭ୍ରମଣ ଓ ପର୍ଯ୍ୟଟନର ବିଭିନ୍ନ ଦିଗ ଯଥା: ମାର୍କେଟିଂ ଓ ଡିଜାଇନ୍‌, ଇଭେଣ୍ଟ ପ୍ଲାନିଂ ଓ ମ୍ୟାନେଜ୍‌ମେଣ୍ଟ, ଗବେଷଣା, ଦର୍ଶକମାନଙ୍କ ସହ ସଂପର୍କ, ପ୍ରକଳ୍ପ ବିକାଶ ସହିତ ଶିଳ୍ପକଳା ଉପରେ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି କରାଯାଇପାରିବ । ପର୍ଯ୍ୟଟକଙ୍କ ଆବଶ୍ୟକତା ଅନୁସାରେ ସଂଗ୍ରହାଳୟ ମଧ୍ୟରେ ବ୍ୟବସ୍ଥା କରାଯିବ । କଳାଭୂମି’ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ‘କଳାଭୂମି’ ପକ୍ଷରୁ ଏହି ବୁଝାମଣାପତ୍ରରେ ସିଡାକ୍‌ର ସଦସ୍ୟ ସଚିବ ଶ୍ରୀ ଶିଶିର କୁମାର ରଥ ଓ ଆଇଆଇଟିଟିଏମ୍ ପକ୍ଷରୁ ଏହାର ନୋଡାଲ୍ ଅଫିସର ଡ. ମହମ୍ମଦ ସର୍ବୀ ହୁସେନ୍ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ପ୍ରକାଶ ଥାଉ କି, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନ (ସିଡାକ୍‌) ଦ୍ୱାରା ପରିଚାଳିତ ‘କଳାଭୂମି’ ୨୦୧୮ ମସିହାରେ ଉଦ୍‌ଘାଟିତ ହୋଇଥିଲା । ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ପରମ୍ପରାର ସଂରକ୍ଷଣକୁ ଦୃଷ୍ଟିରେ ରଖି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସେହିଭଳି ପର୍ଯ୍ୟଟନ ଓ ଭ୍ରମଣ ପରିଚାଳନା କ୍ଷେତ୍ରରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜ୍‌ମେଣ୍ଟ (ଆଇଆଇଟିଟିଏମ୍‌) ଏକ ଅଗ୍ରଣୀ ଅନୁଷ୍ଠାନ ଅଟେ ।

Exit mobile version