Site icon ଆଜିକାଲି

ଫିଟୁଛି ସିମ୍‌ ବକ୍ସ ଗୁମର : ଡିସେମ୍ବରରେ ବାଂଲାଦେଶରୁ କଟକ ଆସିଥିଲା ଆଶାଦ୍ଦୁର

କଟକ : କଟକ ମଧୁପାଟଣା ଥାନା ଅଞ୍ଚଳରୁ ସିମ୍‌ ବକ୍ସ ଜବତ ହେବା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କମିଶନରେଟ ପୁଲିସ ଏହି ଘଟଣାରେ ସାଂଘାତିକ ତଥ୍ୟ ପ୍ରଦାନ କରିଛି। ରାଜୁ ମଣ୍ଡଳ ନେଇଥିବା ଭଡ଼ା ଘରୁ ୫ଟି ସିମ୍‌ ବକ୍ସ ମିଳିଛି। ଯେଉଁଥିରେ ମୋଟ ୫୪୬ ସିମ୍‌ ଥିବାବେଳେ ୨୩୬ଟି ସିମ୍ ସକ୍ରିୟ ରହିଛି। ପୁଲିସ ସେସବୁକୁ ଜବତ କରିଛି। ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ ମଧୁପାଟଣାର ଏହି ଭଡ଼ା ଘରେ ରହୁଥିଲା। ୨ ଦିନ ତଳେ କମିଶନରେଟ ପୁଲିସ ରାଜୁକୁ ଭୁବନେଶ୍ଵରରୁ ଗିରଫ କରିବା ସହିତ ସେଠାରୁ ବି ଏକ ସିମ୍‌ ବକ୍ସ ଜବତ କରିଥିଲା। ପୁଲିସ ରାଜୁକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ରବିବାର ମଧୁପାଟଣାସ୍ଥିତ ଭଡ଼ା ଘରକୁ ନେଇ ଚଢ଼ାଉ କରିଥିଲା।

ରାଜୁ ଏହି ଘରକୁ ଲୁଗା ବ୍ୟବସାୟ କରିବା ନାଁରେ ଭଡ଼ା ନେଇଥିଲା। ଫୋନ୍‌ ପେ ଜରିଆରେ ସେ ଘର ମାଲିକକୁ ମାସିକ ୮ ହଜାର ଟଙ୍କା ଭଡ଼ା ଦେଉଥିଲା। ଗତବର୍ଷ ଡିସେମ୍ବର ମାସରେ ବାଂଲାଦେଶର ଅସଦୁର ଜମାନ କଟକ ଆସି ସେହି ଭଡ଼ା ଘରେ ସିମ୍‌ ବକ୍ସ ଲଗାଇଥିଲା। ରାଜୁ ଉକ୍ତ ଘରେ ଲୁଗା ବ୍ୟବସାୟ ନ କରି ସିମ୍‌ ବକ୍ସ ଅପରେଟ୍‌ କରୁଥିଲା। ଅସଦୁର ଗତବର୍ଷ ଅକ୍ଟୋବରରେ ଅଗରତାଲା ଦେଇ ଭାରତ ଆସିଥିଲା। ଏହା ପରେ ଡିସେମ୍ବରରେ ସେ କଟକ ଆସିଥିଲା। ଅସଦୁରର ଭିସା ଅବଧି ୨୦୨୪ ଅକ୍ଟୋବର ୨୪ ପର୍ଯ୍ୟନ୍ତ ରହିଥିବାବେଳେ ତା’ର ଟେର୍‌ ପାଇନାହିଁ ପୁଲିସ।

Exit mobile version