Site icon ଆଜିକାଲି

ପରିବାରର ୪ ଜଣଙ୍କୁ କାମୁଡ଼ିଲା ସାପ : ୩ ଭଉଣୀ ମୃତ, ବାପା ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଚରିଆପାଲି ଗ୍ରାମରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା । ରାତିରେ ଶୋଇଥିବାବେଳେ ପରିବାରର ୪ ଜଣଙ୍କୁ କାମୁଡ଼ିଲା ବିଷଧର ସାପ। ଚାଲିଗଲା ୩ ଭଉଣୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ବାପା ଜୀବନ ସହ ସଂଘର୍ଷ କରୁଛନ୍ତି।

ରବିବାର ନୂଆଁଖାଇ ଥିବାରୁ ଚରିଆପାଲି ଗ୍ରାମର ସାଲେନ୍ଦ୍ର ମଲ୍ଲିକଙ୍କ ପରିବାର ଏକାଠି ଖିଆ ପିଆ କରିବା ପରେ ଶୋଇବାକୁ ଯାଇଥିଲେ। ସମ୍ପୂର୍ଣ୍ଣ ପରିବାର ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ପରିବାର ସମସ୍ତଙ୍କୁ କାମୁଡି ଦେଇଥିଲା। ଚିକିତ୍ସା ପାଇଁ ପ୍ରଥମେ ଗୁଣିଗାରେଡିର ସହାୟତା ନିଆଯିବା ପରେ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ବେ ବିଳମ୍ବିତ ଚିକିତ୍ସା ଯୋଗୁ ଆଉ ଜଣେ ଭଉଣୀର ମୃତ୍ୟୁ ଘଟିଥିଲା। ଘଟଣାରେ ମୃତ ତିନି ଭଉଣୀ ସ୍ମୃତିରେଖା, ସୁରଭୀ ଓ ଶୁଭରେଖା ନାବାଳିକା ଅଟନ୍ତି। ପିତା ସାଲେନ୍ଦ୍ର ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପୁଲିସ ପହଞ୍ଚି ତିନି ଭଉଣୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଯେ, ୩ଝିଅ ଓ ବାପାକୁ ଚିତି ସାପ କାମୁଡ଼ିଥିବା କୁହାଯାଉଛି। ୩ ଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Exit mobile version