Site icon ଆଜିକାଲି

ମୂଳାଷ୍ଟମୀରୁ ଷୋଡଶ ଦିନାତ୍ମକ ପୂଜା, ବିମଳାଙ୍କ ପୀଠରେ ସ୍ୱତନ୍ତ୍ର ନୀତି

ପୁରୀ : ଆଜି ମୂଳାଷ୍ଟମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ଦୂର୍ଗା ମାଧବ ଉପାସନା । ସେହିପରି ଗଜପତିଙ୍କ ଶ୍ରୀନଅରରେ ଆଜି ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ବରଣ କରାଯିବ ।

ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିବେ । ମା ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରୀଚ୍ଛା, ଚଣ୍ଡୀପାଠକ, ମନ୍ତ୍ରଯାପକ, ସହସ୍ରନାମ ପାଠକଙ୍କୁ ବରଣ କରାଯିବ ।

ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା ଭୁବନେଶ୍ୱରୀ, ମା ବାଟମଙ୍ଗଳା ଓ ମା ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେବେ । ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଶ୍ୱରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ, ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି।

Exit mobile version