Site icon ଆଜିକାଲି

‘ସୁଭଦ୍ରା’ ପାଇଁ ଏସଓପି ଜାରି :  ବର୍ଷକୁ ମହିଳାଙ୍କୁ ମିଳିବ ୧୦ହଜାର ଟଙ୍କା, ୫ବର୍ଷ ଚାଲିବ ଯୋଜନା

ଭୁବନେଶ୍ବର : ସୁଭଦ୍ରା ଯୋଜନା ପାଇଁ ଏସଓପି ଜାରି ହୋଇଛି । ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଡେବିଟ୍ କାର୍ଡ ମହିଳାଙ୍କୁ ପ୍ରଦାନ କରାଯିବ । ୨୧ ବର୍ଷରୁ ୬୦ ବର୍ଷ ବୟସ୍କ ମହିଳା ଏହାର ଲାଭ ପାଇବେ । ଏଥିରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମହିଳାଙ୍କୁ ପ୍ରଦାନ କରାଯିବ । ୫ ବର୍ଷରେ ଯୋଗ୍ୟ ହିତାଧିକାରୀ ୫୦ ହଜାର ଟଙ୍କା ପାଇବେ । ଏକ କୋଟିରୁ ଅଧିକ ମହିଳା ଏଥିରେ ଲାଭବାନ ହେବେ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ମହିଳାମାନେ ଆବେଦନ କରିପାରିବେ । ପ୍ରତି ପଞ୍ଚାୟତରେ ୧୦୦ ଜଣ ହିତାଧିକାରୀ ଚୟନ କରାଯାଇ ସେମାନଙ୍କୁ ଏହାର ଲାଭ ପ୍ରଦାନ କରାଯିବ । ତେବେ ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ଏଥିରୁ ବଞ୍ଚିତ ହେବେ । ସେହିଭଳି ସରକାରୀ ଚାକିରି କରୁଥିବା ମହିଳା ସୁଭଦ୍ରା ସହାୟତା ପାଇବେନି । ଆୟକର ପ୍ରଦାନ କରୁଥିବା ମହିଳାଙ୍କୁ ଏହାର ଲାଭ ମିଳିବନି । ମାସିକ ୧୫ ଶହ ବା ବାର୍ଷିକ ୧୮ ହଜାର ଟଙ୍କା ପାଉଥିବା ମହିଳା ଏହି ସହାୟତାର ଲାଭ ପାଇବେନି ।

ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ଗାଇଡଲାଇନକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଗଷ୍ଟ ୨୨ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା’ ଯୋଜନାକୁ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ହୋଇଛି।୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫୮୨୫ କୋଟିର ବଜେଟ୍ ଧାର୍ଯ୍ୟ ହୋଇଛି । ଏହି ଯୋଜନାରେ ରାଜ୍ୟର ୧କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି । ତାଙ୍କ ସରକାର ଅନ୍ତ୍ୟୋଦୟରେ ବିଶ୍ୱାସ କରନ୍ତି । ତେଣୁ ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ । ସେହିପରି କୌଣସି ଯୋଜନାରେ ଯଦି କେହି ମହିଳା ମାସିକ ୧୫୦୦ଟଙ୍କା ଅବା ତଦୁର୍ଦ୍ଧ୍ୱ ସହାୟତା ଅବା ବାର୍ଷିକ ୧୮ହଜାର ଟଙ୍କାରୁ  ଅଧିକ ସହାୟତା ରାଶି ପାଉଥିବେ ତା’ହେଲେ ସେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ । ପ୍ରତ୍ୟେକ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ତେଣୁ ୫ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ(ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଡିବିଟି ବ୍ୟାଙ୍କ ଆକାଉଣ୍ଟାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହାସହିତ ହିତାଧିକାରୀମାନଙ୍କୁ ‘ସୁଭ୍ରଦା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।

ସେହିପରି ଡିଜିଟାଲ କାରାବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ପଂଚାୟତ ଓ ସହରାଂଚଳରେ ସର୍ବାଧିକ ପରିମାଣର ଡିଜିଟାଲ କାରବାର କରିଥିବା ୧୦୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରି ଅତିରିକ୍ତ ୫୦୦ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ଏହି ଯୋଜନାରେ ସାମିଲ ହେବା ପାଇଁ ମହିଳମାନେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଆଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ସୁଭଦ୍ରା ଯୋଜନା ପାଇଁ ଏକ କଲ୍ ସେଂଟର ମଧ୍ୟ କାର୍ଯ୍ୟକ୍ଷମ ହେବ । ଏହି ଯୋଜନାକୁ କାର୍ଯ୍ୟକାରୀ ଓ ତଦାରଖ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏକ ‘ସୁଭଦ୍ରା ସୋସାଇଟି’ ଗଠନ କରାଯିବ । ସୁଭଦ୍ରା ଯୋଜନାର ଶୁଭାରମ୍ଭ ଯଥାଶୀଘ୍ର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ରାଜ୍ୟ କ୍ୟାବିନେଟର ଏହା ଦୂରଦୃଷ୍ଟି ସମ୍ପନ୍ନ ଓ ସୁଦୂରପ୍ରସାରୀ ନିଷ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

Exit mobile version