Site icon ଆଜିକାଲି

ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସ୍ୱତନ୍ତ୍ର ପ୍ରୟାସ, ୧୯୩୦ ନମ୍ବର କଲ୍ କରି ଜଣାଇ ହେବ ଅଭିଯୋଗ

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ଏକ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ତୃଣମୂଳ ସ୍ତରରେ ସାଇବର ଅପରାଧ ବିରୋଧି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବିଶେଷକରି ବୃଦ୍ଧବୃଦ୍ଧା, ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନଓ୍ୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ଉକ୍ତ ଅଭିଯାନରେ ସବୁ ବର୍ଗକୁ ସାମିଲ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଏଥି ନିମନ୍ତେ ୩୪ଟି ସଚେତନତା ରଥ ରାଜ୍ୟର ପ୍ରତ୍ୟେକ ଥାନାକୁ ଗସ୍ତ କରି ଭିଡ଼ିଓ ଅଡ଼ିଓ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବ । ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ରର କାନ୍ଥରେ ପେଣ୍ଟିଂ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ଏପରିକି ବିଦ୍ୟାଳୟ ସ୍ତରରେ ଅଭିଭାବକ-ଶିକ୍ଷକ ମାନଙ୍କ ବୈଠକରେ ସାଇବର କ୍ରାଇମ ପ୍ରତି ସଚେତନ ରହିବାକୁ ମଧ୍ୟ ଆଲୋଚନା ହେବ । ଅର୍ଥ ନେଣଦେଣ ପୂର୍ବରୁ ସତ୍ୟତା ଯାଞ୍ଚ କରିବା, ଅଜଣା ବ୍ୟକ୍ତିଙ୍କ ସହ ଅନାବଶ୍ୟକ ବନ୍ଧୁତା ରକ୍ଷା ନକରିବା, ଅଜଣା ଏସ୍.ଏମ୍.ଏସ୍, ଲିଙ୍କ କିମ୍ବା ସନ୍ଦେହାତ୍ମକ ଆପ୍ ଡାଉନଲୋଡ ନକରିବା ଉପରେ ମୁଖ୍ୟତଃ ସଚେତନ ସୃଷ୍ଟି କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ମଧ୍ୟ ଅଭିଯାନ ଯାରି ରହିବ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ନିୟମିତ ଭାବେ ସାଇବର ଅପରାଧ ନିୟନ୍ତ୍ରଣ ଜନିତ ବାର୍ତ୍ତା ପ୍ରଦାନ କରାଯିବ । ଏଥି ନିମନ୍ତେ ବିଭିନ୍ନ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯିବ । ଏପରିକି “ସଚେତନ ରହିବା ଏବଂ ସୁରକ୍ଷିତ ରହିବା-ସାଇବର ଅପରାଧ ମୁକ୍ତ ଓଡ଼ିଶା” ଉପରେ ରୋଡ ରନ, ସାଇକ୍ଲୋଥନ, ଶୋଭାଯାତ୍ରା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକୃତା, ପ୍ରବନ୍ଧ ଓ କୁଇଜ ପ୍ରତି ଯୋଗିତା ମଧ୍ୟ କରାଯିବ । ଏଭଳି ଅଭିଯାନ ଆରମ୍ଭ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ।

ସୂଚନାଯୋଗ୍ୟ ଦେଶରେ ୨୦୨୧ ମସିହାରେ ୫୨ ହଜାର ୯୭୫ ମାମଲା ପଞ୍ଜିକୃତ ହୋଇଥିଲା ଯାହା ଏହାର ପୂର୍ବ ବର୍ଷ ଅପେକ୍ଷା ସାଇବର ଅପରାଧଜନିତ ମାମଲାରେ ୫.୯ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିଭଳି ଓଡ଼ିଶାରେ ୨୦୧୯ ମସିହାରେ ୧୪୮୫ଟି, ୨୦୨୦ ରେ ୧୯୩୧ ଏବଂ ୨୦୨୧ ରେ ୨୦୩୭ଟି ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ସାଇବର ହେଲ୍ପ ଡେସ୍କ ମାଧ୍ୟମରେ ରାଜ୍ୟରେ ୨୦୨୧ ମସିହାରେ ୩୪୦୨ଟି ପିଟିସନ ଗ୍ରହଣ କରାଯାଇଥିବା ବେଳେ ୨୦୨୨ ମସିହାରେ ୭୭୦୦ଟି ପିଟିସନ ଗ୍ରହଣ କରାଯାଇଛି । କୌଣସି ବ୍ୟକ୍ତି ସାଇବର ଜନିତ ଅପରାଧ ସଂପର୍କରେ ଅଭିଯୋଗ କରିବାକୁ ହେଲେ ୧୯୩୦ ସହ ଯୋଗାଯୋଗ କରି ଅଭିଯୋଗ କରିପାରିବେ ।

ଉକ୍ତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଇଲୋକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଡ଼ଃ ସନ୍ତୋଷ ବାଲା, ଡିଜିପି ସୁନିଲ ବଂଶଲ, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ୱାଲ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଆଇଜି ଅଫ ପୋଲିସ ସି.ଆଇ.ଡି. ସି.ବି ସିଫିନ୍ ଅହମ୍ମଦ କେ. ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version